ଝାରସୁଗୁଡ଼ା: ଟିକିଏ ଏପଟ ସେପଟ ହୋଇଥିଲେ ଯାଇଥାନ୍ତା ଅନେକ ନୀରିହ ଜୀବନ। ଘଟିଯାଇଥାନ୍ତା ଏକ ହୃଦୟ ବିଦାରକ ଘଟଣା। ତେବେ ସୌଭାଗ୍ୟବଶତଃ ଏକ ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍କୁଲ ବସରେ ଥିବା କୁନି କୁନି ଛାତ୍ରଛାତ୍ରୀ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅଞ୍ଚଳରେ ସୋମବାର ଦିନ ଲଗାଣ ବର୍ଷା ଯୋଗୁଁ ଏକ କାଦୁଅ ପଚପଚ ରାସ୍ତାରେ ସ୍କୁଲ ବସ୍ ଫସିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଲଖନପୁର ବ୍ଲକ୍ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବସ୍ ସକାଳୁ ସ୍କୁଲ ଅଭିମୁଖେ ଯାତ୍ରା କରୁଥିଲା। ସ୍କୁଲକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବର୍ତ୍ତମାନ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଣୁ ଯାତାୟାତ ପାଇଁ ବାଧ୍ୟ ହୋଇ ବସ୍ଟି ଏକ ଅସ୍ଥାୟୀ ମାଟି ରାସ୍ତା ଉପରେ ନିର୍ଭର କରୁଥିଲା। କିନ୍ତୁ ଗତ କିଛି ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଏହି ବାଇପାସ୍ ମାଟି ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଏକ ବିପଦଜ୍ଜନକ କାଦୁଅ ରାସ୍ତାରେ ପରିଣତ ହୋଇଯାଇଥିଲା। ଅତ୍ୟନ୍ତ ଖସଡ଼ା ଏବଂ ବିପଦସଙ୍କୁଳ ଅବସ୍ଥାରେ ବସ୍ଟି ଯାଉଥିବା ବେଳେ ହଠାତ୍ ଏହାର ଚକା କାଦୁଅରେ ଖସିଯାଇ ଗଭୀରକୁ ଦବି ଯାଇଥିଲା। ବସ୍ଟି ଆଗକୁ ଯାଇନପାରି ଅଟକି ରହିବା ଏବଂ ଭାରସାମ୍ୟ ହରାଇବା ସ୍ଥିତି ଉପୁଜିବାରୁ ଭିତରେ ଥିବା ପିଲାମାନେ ଭୟଭୀତ ହୋଇପଡ଼ିଥିଲେ।
ପରିସ୍ଥିତି ବିଗିଡ଼ିବା ପୂର୍ବରୁ ଏବଂ କୌଣସି ଅଘଟଣ ଘଟିବା ଆଗରୁ, ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ବସରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଅଣାଯାଇଥିଲା। ଏହି ଘଟଣାରେ କୌଣସି ପିଲାଙ୍କର ଆହତ ହୋଇନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପିଲାମାନେ ସୁରକ୍ଷିତ ଥିବା ଖବର ପାଇବା ପରେ ଯାଇ ଅଭିଭାବକମାନଙ୍କ ଜୀବନରେ ଜୀବନ ପଶିଥିଲା।
ଏହି ଘଟଣା ପ୍ରଶାସନ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇଛି। ମୌସୁମୀ ଋତୁରେ ପିଲାମାନେ କିପରି ସୁରକ୍ଷିତ ଭାବେ ସ୍କୁଲ ଯିବେ, ସେନେଇ ପୂର୍ବରୁ କାହିଁକି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା? ମୁଖ୍ୟ ରାସ୍ତା ଅବରୋଧ ଥିବା ବେଳେ ଏକ କାଦୁଅ ଓ ଅସ୍ଥିର ରାସ୍ତାରେ ସ୍କୁଲ ବସ୍ ଯିବାକୁ କିଏ ଅନୁମତି ଦେଲା? ଏହାକୁ ନେଇ ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।