Latest Odisha News

BREAKING NEWS

Mobile Flashlight Driving: ମୋବାଇଲ୍ ଫ୍ଲାସଲାଇଟ୍ ଭରସାରେ ରାତିରେ ଚାଲିଲା ସରକାରୀ ବସ୍, ଭିଡିଓ ଭାଇରାଲ୍ ପରେ ଡ୍ରାଇଭରଙ୍କ ସହ ୩ କର୍ମଚାରୀ ସସପେଣ୍ଡ

କାଲବୁରାଗି: କର୍ଣ୍ଣାଟକର କାଲବୁରାଗି ଜିଲ୍ଲାରୁ ସାମ୍ନାକୁ ଆସିଛି ଯାତ୍ରୀ ସୁରକ୍ଷାକୁ ନେଇ ଏକ ଚିନ୍ତାଜନକ ଘଟଣା। ସରକାରୀ ବସ୍‌ର ହେଡଲାଇଟ୍ ଅଚାନକ ଖରାପ ହୋଇଯିବା ପରେ ଯାତ୍ରା ବନ୍ଦ କରିବା କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ପରିବର୍ତ୍ତେ, ଡ୍ରାଇଭର ମୋବାଇଲ୍ ଫୋନ୍‌ର ଫ୍ଲାସଲାଇଟ୍ ସାହାଯ୍ୟରେ ରାତିରେ ବସ୍ ଚଳାଇଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ କଲ୍ୟାଣ କର୍ଣ୍ଣାଟକ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (KKRTC) କଠୋର ପଦକ୍ଷେପ ନେଇଛି।

ଏହି ଘଟଣା ଜୁଲାଇ ୪ ତାରିଖ ରାତିରେ ଘଟିଥିବା ଜଣାପଡ଼ିଛି। ଚିଞ୍ଚୋଲି ଡିପୋର KA-28 F-1985 ନମ୍ବର ବିଶିଷ୍ଟ KKRTC ବସ୍ କାଲବୁରାଗିରୁ ଚିଞ୍ଚୋଲି ଅଭିମୁଖେ ଯାଉଥିବାବେଳେ ମଝିରାସ୍ତାରେ ହେଡଲାଇଟ୍ କାମ କରିବା ବନ୍ଦ କରିଦେଇଥିଲା। ଅଭିଯୋଗ ଅନୁଯାୟୀ, ବସ୍‌କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭରଙ୍କ କ୍ୟାବିନ୍ ନିକଟରେ ଏକ ମୋବାଇଲ୍ ଫୋନ୍‌ର ଫ୍ଲାସଲାଇଟ୍ ଜଳାଯାଇଥିଲା। ସେହି ଅଳ୍ପ ଆଲୋକକୁ ଭରସା କରି ବସ୍‌ଟି ରାତିରେ ଚାଲିଥିଲା, ଯାହା ଯାତ୍ରୀଙ୍କ ସୁରକ୍ଷାକୁ ବଡ଼ ବିପଦରେ ପକାଇଥିଲା।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ତୀବ୍ର ସମାଲୋଚନା ହୋଇଥିଲା। ସାଧାରଣ ଲୋକ ପ୍ରଶ୍ନ ଉଠାଇଥିଲେ ଯେ, ହେଡଲାଇଟ୍ ନଥିବା ଅବସ୍ଥାରେ କିପରି ଏକ ସରକାରୀ ବସ୍‌କୁ ଚଳାଇବାକୁ ଅନୁମତି ଦିଆଗଲା?

ଭିଡିଓ ଭାଇରାଲ୍ ହେବା ପରେ KKRTC ତୁରନ୍ତ ଆଭ୍ୟନ୍ତରୀଣ ତଦନ୍ତର ନିର୍ଦ୍ଦେଶ ଦେଇଥିଲା। ତଦନ୍ତରେ ଜଣାପଡ଼ିଲା ଯେ ବସ୍‌ର ସଠିକ୍ ମରାମତି କରାଯାଇନଥିଲା ଏବଂ ଯାନଟି ରାସ୍ତାରେ ଚଳାଚଳ ଉପଯୋଗୀ କି ନୁହେଁ, ତାହା ମଧ୍ୟ ଯାଞ୍ଚ କରାଯାଇନଥିଲା। ଏହାପରେ KKRTC ଡ୍ରାଇଭରଙ୍କ ସମେତ ମୋଟ ୩ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରିଛି। ସସପେଣ୍ଡ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଡ୍ରାଇଭର ଆକାଶ, ବସ୍‌ର ସଠିକ୍ ମରାମତି ନକରିଥିବା ଟେକ୍ନିକାଲ୍ ଷ୍ଟାଫ୍ ଶିବାନନ୍ଦ ଓ ରକ୍ଷଣାବେକ୍ଷଣ ଉପରେ ନଜର ରଖିବାରେ ବିଫଳ ହୋଇଥିବା ଟେକ୍ନିକାଲ୍ ସୁପରଭାଇଜର ବସବରାଜ ରହିଛନ୍ତି।

କାଲବୁରାଗି ଡିଭିଜନ୍-୧ର ଡିଭିଜନାଲ୍ କଣ୍ଟ୍ରୋଲର ଏସ୍‌.ଜି. ଗଙ୍ଗାଧର କହିଛନ୍ତି, ତଦନ୍ତ ରିପୋର୍ଟ ଆଧାରରେ ତିନିଜଣଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave A Reply

Your email address will not be published.