Latest Odisha News

BREAKING NEWS

ବିନା ଫିଟନେସ୍‌ରେ ରାସ୍ତାରେ ଗଡ଼ୁଛି ଗାଡ଼ି? ପରିବହନ ବିଭାଗର ଅଚାନକ ଚଢ଼ଉ, ଶହ ଶହ ଗାଡ଼ି ଉପରେ ଚାଲାଣର ପ୍ରହାର

ଭୁବନେଶ୍ୱର: ରାଜ୍ୟ ରାଜପଥ ଓ ସହରୀ ରାସ୍ତାରେ ଯାତାୟାତ କରୁଥିବା ଅନେକ ଗାଡ଼ି ଏବେ ପରିବହନ ବିଭାଗର ସ୍ୱତନ୍ତ୍ର ନଜରରେ। ବିନା ଫିଟନେସ୍ ଏବଂ ବୈଧ କାଗଜପତ୍ର ବିନା ରାସ୍ତାରେ ଗଡ଼ୁଥିବା ଅନେକ ଗାଡ଼ି ବିପଦର କାରଣ ସାଜୁଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ବ୍ୟାପକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଗତ ଜୁଲାଇ ୫ ଏବଂ ୬ ତାରିଖ, ଏହି ଦୁଇ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ଚାଲିଥିବା ତନାଘନା ଯାଞ୍ଚରେ ହଜାର ହଜାର ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରାଯାଇଛି।

 

ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାରେ ମୋଟ ୩,୦୫୭ଟି ଗାଡ଼ିକୁ କଡ଼ା ଯାଞ୍ଚ କରାଯାଇଛି। ଏଥିମଧ୍ୟରୁ ବିନା ଫିଟନେସ୍ କିମ୍ବା ବୈଧ ପଞ୍ଜୀକରଣ ପାଇଁ ୪୭୮ଟି ଗାଡ଼ିକୁ ଜରିମାନା କରାଯାଇ ଇ-ଚାଲାଣ କଟାଯାଇଛି। ସେହିପରି ବିନା ପରମିଟ୍‌ରେ ଚାଲୁଥିବା ୬୫ଟି ଗାଡ଼ି ଏବଂ ଉଭୟ ନିୟମ ଉଲ୍ଲଙ୍ଘନ କରିଥିବା ୧୭୨ଟି ଗାଡ଼ିକୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

ଏହି ସ୍ୱତନ୍ତ୍ର ଅଭିଯାନରେ ଭୁବନେଶ୍ୱର-୧ ଆରଟିଓ ସବୁଠାରୁ ଆଗରେ ରହିଛି। ଭୁବନେଶ୍ୱର-୧ ଆରଟିଓ ୩୦୫ଟି ଗାଡ଼ି ଯାଞ୍ଚ କରିଥିବା ବେଳେ ଗଞ୍ଜାମ ଆରଟିଓ ୨୯୭ଟି, କଟକ ଆରଟିଓ ୨୦୧ଟି, ଚଣ୍ଡିଖୋଲ ଆରଟିଓ ୧୯୮ଟି ଏବଂ ମୟୂରଭଞ୍ଜ ଆରଟିଓ ୧୪୮ଟି ଗାଡ଼ି ଯାଞ୍ଚ କରିଛନ୍ତି। ନିୟମ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରିବାରେ ମଧ୍ୟ ଭୁବନେଶ୍ୱର-୧ ଆରଟିଓ ଶୀର୍ଷରେ ରହିଛି। ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ୭୨ଟି ଚାଲାଣ ଜାରି କରାଯାଇଥିବା ବେଳେ କଟକ ଆରଟିଓ ୬୧ଟି, ଚଣ୍ଡିଖୋଲ ଆରଟିଓ ୩୫ଟି, ବାଲେଶ୍ୱର ଆରଟିଓ ୨୪ଟି ଏବଂ ଝାରସୁଗୁଡ଼ା ଆରଟିଓ ୧୫ଟି ଚାଲାଣ ଜାରି କରିଛନ୍ତି।

 

ସେହିଭଳି ବିନା ପରମିଟ୍‌ରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କ ଉପରେ ମଧ୍ୟ ବିଭାଗ କଠୋର ହୋଇଛି। ଏହି କ୍ଷେତ୍ରରେ ଝାରସୁଗୁଡ଼ା ଆରଟିଓ ୭ଟି, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଆରଟିଓ ୬ଟି ଲେଖାଏଁ ଏବଂ କଟକ ଓ ଗଞ୍ଜାମ ଆରଟିଓ ୫ଟି ଲେଖାଏଁ ଚାଲାଣ କାଟିଛନ୍ତି। ପରିବହନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍ ଏବଂ ପରମିଟ୍ ନିୟମିତ ନବୀକରଣ ନକରିବା ଦ୍ୱାରା ଦୁର୍ଘଟଣାର ଆଶଙ୍କା ବଢ଼ିଥାଏ। ତେଣୁ ସୁରକ୍ଷିତ ଯାତ୍ରା ପାଇଁ ସମସ୍ତ ଗାଡ଼ି ମାଲିକ ନିଜ ଗାଡ଼ିର କାଗଜପତ୍ର ସଠିକ୍ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହି ଯାଞ୍ଚ ଅଭିଯାନ ଆହୁରି କଡ଼ାକଡ଼ି କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.