Latest Odisha News

BREAKING NEWS

ଭୁବନେଶ୍ୱରରେ ମହିଳାଙ୍କ ସାମ୍ନାରେ ଅଶ୍ଳୀଳ ପ୍ରଦର୍ଶନ କରି ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ବେଳେ, ସମାଜର ଉଚ୍ଚ ଶ୍ରେଣୀରେ ଥିବା କିଛି ଲୋକଙ୍କ ବିକୃତ ମାନସିକତା ଏବେ ପୁଣି ଥରେ ସାମ୍ନାକୁ ଆସିଛି। ସ୍ମାର୍ଟସିଟିର ଏକ ଅଞ୍ଚଳରେ ଜଣେ ମହିଳାଙ୍କ ସାମ୍ନାରେ ଅଶ୍ଳୀଳ ପ୍ରଦର୍ଶନ କରିବା ଏବଂ ଅସଦାଚରଣ କରିବା ଅଭିଯୋଗରେ ବ୍ୟବସାୟୀ ଆଶିଷ ବେହେରାକୁ ଗିରଫ କରିଛି କମିଶନରେଟ୍ ପୋଲିସ।

 

ସୂଚନା ଅନୁଯାୟୀ, ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସମ୍ପୃକ୍ତ ବ୍ୟବସାୟୀ ଜଣକ ଜଣେ ମହିଳାଙ୍କୁ ଏକାକୀ ଦେଖି ନିଜର ଭଦ୍ରତାର ସୀମା ପାର କରିଥିଲେ। ସେ ମହିଳାଙ୍କ ସାମ୍ନାରେ ନିଜକୁ ଅଶ୍ଳୀଳ ଭାବେ ପ୍ରଦର୍ଶନ କରିବା ସହ ବିକୃତ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି। ତେବେ ମହିଳା ଜଣକ ଏଭଳି ହୀନ ଆଚରଣରେ ସମ୍ପୂର୍ଣ୍ଣ ଭୟଭୀତ ନହୋଇ ଅତ୍ୟନ୍ତ ସାହସିକତାର ସହ ଏହାର ତୀବ୍ର ପ୍ରତିବାଦ କରିଥିଲେ। ଘଟଣାସ୍ଥଳରେ ହିଁ ମହିଳାଙ୍କ ପାଟିତୁଣ୍ଡ ଶୁଣି ଲୋକେ ଜମା ହେବା ପରେ ଅଭିଯୁକ୍ତ ବ୍ୟବସାୟୀଜଣକ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମହିଳାଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ତାହା ସଫଳ ହୋଇନଥିଲା।

 

ପୀଡ଼ିତା ମହିଳା ଜଣକ ବିଳମ୍ବ ନକରି ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ମହିଳାଙ୍କ ସମ୍ମାନ ହାନି ଏବଂ ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଆଚରଣ ମାମଲା ହୋଇଥିବାରୁ ପୋଲିସ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲା। ପୀଡ଼ିତାଙ୍କ ବୟାନ ଏବେ ଘଟଣାସ୍ଥଳର ଆଖପାଖ ସ୍ଥିତିକୁ ଆଧାର କରି ପୋଲିସ ତୁରନ୍ତ ଛାନଭିନ୍ ଆରମ୍ଭ କରି ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି।

 

ଅଭିଯୁକ୍ତ ବ୍ୟବସାୟୀଙ୍କ ବିରୋଧରେ ମହିଳାଙ୍କ ସ୍ୱାଭିମାନରେ ଆଘାତ ପହଞ୍ଚାଇବା ଏବଂ ସର୍ବସାଧାରଣ ସ୍ଥାନରେ ଅସଦାଚରଣ କରିବା ଭଳି ସଂଗୀନ ଦଫାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

 

ନୟାପଲ୍ଲୀରେ ଜଣେ ଫର୍ଣ୍ଣିଚର ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ଏଭଳି ଶସ୍ତା ଓ ବିକୃତ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଜୋରଦାର ନିନ୍ଦା କରାଯାଉଛି।

Leave A Reply

Your email address will not be published.