Latest Odisha News

BREAKING NEWS

Hirakud Water Row: ହୀରାକୁଦ ଜଳ ପରିଚାଳନାରେ ଛତିଶଗଡ଼ର ମନମାନି? ବଢ଼ିଲା ଅସନ୍ତୋଷ…

ସମ୍ବଲପୁର: ଗୁରୁବାର ହୀରାକୁଦରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ବର୍ଷା ଋତୁରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ହୀରାକୁଦରୁ ଜଳ ନିଷ୍କାସନ ସାଧାରଣ ପ୍ରକ୍ରିୟା ହୋଇଥିଲେ ମଧ୍ୟ, ଚଳିତ ବର୍ଷ ଏହାକୁ ନେଇ ଆଉ ଏକ ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ଼ର ପ୍ରକଳ୍ପଗୁଡ଼ିକରୁ ଜଳ ନିଷ୍କାସନ ସମ୍ପର୍କରେ ଠିକ୍ ସମୟରେ ସୂଚନା ନ ମିଳିବାରୁ ହୀରାକୁଦ ଜଳ ପରିଚାଳନା ପ୍ରଭାବିତ ହେଉଛି।

ବୁର୍ଲାର ଅଶୋକ ନିବାସରେ ଅନୁଷ୍ଠିତ ଜାତୀୟ ବନ୍ଧ ନିରାପତ୍ତା କମିଟି (NCDS) ବୈଠକରେ ଓଡ଼ିଶା ପକ୍ଷରୁ ଏହି ପ୍ରସଙ୍ଗକୁ କେନ୍ଦ୍ରୀୟ ଜଳ ଆୟୋଗ (CWC) ସମ୍ମୁଖରେ ଉଠାଯାଇଥିଲା। ବୈଠକରେ କୁହାଯାଇଥିଲା ଯେ, ନିକଟରେ ଓଡ଼ିଶାରେ ବର୍ଷା ହେଉଥିବା ସମୟରେ ଛତିଶଗଡ଼ କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍ ଖୋଲିଦେଇଥିଲା। କିନ୍ତୁ ଏନେଇ ହୀରାକୁଦ କର୍ତ୍ତୃପକ୍ଷଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇନଥିଲା। ଫଳରେ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ଓ ଗେଟ୍ ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିବା ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଛି।

ହୀରାକୁଦ ଜଳଭଣ୍ଡାରର ସହକାରୀ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ବେହେରା କହିଛନ୍ତି, କଲମା, ସରାଡିହି, ବସନ୍ତପୁର, ମିରୌନି, ଶିବରୀନାରାୟଣ ଓ ସାମୋଦ ବ୍ୟାରେଜ୍‌ରୁ ପାଣି ଛଡ଼ାଯିବାର ତଥ୍ୟ ନିୟମିତ ଭାବେ ମିଳିଲେ ଜଳ ପରିଚାଳନା ଅଧିକ ସୁଚାରୁ ହୋଇପାରିବ। ଏନେଇ ପୂର୍ବରୁ ଛତିଶଗଡ଼ର ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ ଆଶାନୁରୂପ ସହଯୋଗ ମିଳିନଥିବା ସେ କହିଛନ୍ତି।

ତେବେ ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଉପସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ସମୟାନୁସାରେ ବର୍ଷା, ଜଳସ୍ତର ଓ ଜଳ ନିଷ୍କାସନ ସମ୍ପର୍କିତ ତଥ୍ୟ ହ୍ୱାଟସ୍‌ଆପ୍ ମାଧ୍ୟମରେ ଆଦାନ-ପ୍ରଦାନ କରିବାକୁ ସହମତି ପ୍ରକାଶ ପାଇଛି। ଏହାସହ ମହାନଦୀ ଅବବାହିକାରେ ଅକାମୀ ହୋଇପଡ଼ିଥିବା ବିଭିନ୍ନ ଗେଜ୍ ଷ୍ଟେସନ୍‌ର ପୁନଃନିର୍ମାଣ କରି ସକ୍ରିୟ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ଏପଟେ ହୀରାକୁଦ ଜଳ ପରିଚାଳନାକୁ ନେଇ ସାମାଜିକ ସ୍ତରରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଉଛି। ସାମାଜିକ କର୍ମୀ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଦାବି କରିଛନ୍ତି ଯେ, ହୀରାକୁଦର ଗେଟ୍ କେବେ ଖୋଲିବ କିମ୍ବା ବନ୍ଦ ରହିବ, ତାହା ବର୍ତ୍ତମାନ ବହୁ ପରିମାଣରେ ଛତିଶଗଡ଼ର ଜଳ ପରିଚାଳନା ଉପରେ ନିର୍ଭର କରୁଛି। ତାଙ୍କ ଅଭିଯୋଗ ହେଉଛି, ଉପରମୁଣ୍ଡରୁ ପୂର୍ବ ସୂଚନା ବିନା ପାଣି ଛଡ଼ାଯିବା କିମ୍ବା ଅଟକାଇ ରଖାଯିବା ଯୋଗୁଁ ଓଡ଼ିଶା କେତେବେଳେ ବନ୍ୟା ତ ଆଉ କେତେବେଳେ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇପାରେ । ତେବେ ଏହି ମତ ତାଙ୍କର ବ୍ୟକ୍ତିଗତ ଅଭିଯୋଗ ହୋଇଥିବାବେଳେ ଛତିଶଗଡ଼ ସରକାର ଏହା ଉପରେ କୌଣସି ସାର୍ବଜନିକ ପ୍ରତିକ୍ରିୟା ଦେଇନାହାନ୍ତି।

ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷର ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୨.୯୭ ଫୁଟ ରହିଥିଲା। ସେତେବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୨ ହଜାର ୯୬୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୨୬ ହଜାର ୩୦୩ କ୍ୟୁସେକ୍ ପାଣି ନିଷ୍କାସନ ହେଉଥିଲା। ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବାବେଳେ ବରମୂଳ, ଖଇରମାଲ, ପଥର୍ଲା ଓ ବେଲଗାଁରେ ମଧ୍ୟ ଜଳପ୍ରବାହ ବଢ଼ିଥିଲା।

ଗତ ୨୪ ଘଣ୍ଟାରେ ଜଳଭଣ୍ଡାରର ଉପରମୁଣ୍ଡରେ ୨.୨୪ ମିଲିମିଟର ଓ ତଳମୁଣ୍ଡରେ ୦.୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡ଼ାଯାଇଛି। ପରମ୍ପରା ଅନୁଯାୟୀ ପୂଜାପାଠ ପରେ ସର୍ବପ୍ରଥମେ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପର୍ଯ୍ୟାୟକ୍ରମେ ଆଉ ୩ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ି ପ୍ରାୟ ୬୧୪.୬୫ ଫୁଟରେ ପହଞ୍ଚିଛି। ପରିସ୍ଥିତିକୁ ନଜରରେ ରଖି ଆବଶ୍ୟକ ହେଲେ ଆହୁରି ଗେଟ୍ ଖୋଲାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ଜଳସ୍ତର ବଢ଼ିପାରେ। ସେଥିପାଇଁ ନଦୀକୂଳ ଓ ତଳମୁଣ୍ଡ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀକୁ ନଯିବାକୁ ଡାକବାଜୀ ଯନ୍ତ୍ରରେ ସଚେତନ କରାଯାଇଛି। ଏପଟେ ସୁରକ୍ଷା ଦୃଷ୍ଟିରୁ ହୀରାକୁଦ ବନ୍ଧ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି। ଡ୍ରୋନ୍ ସହ ସମସ୍ତ ଆକାଶ ଉପକରଣ ଉଡ଼ାଣ ଉପରେ କଟକଣା ଜାରି ରହିଛି।

ତେବେ ବିଶେଷଜ୍ଞଙ୍କ ମତରେ, ମହାନଦୀ ଅବବାହିକାରେ ବନ୍ୟା ପରିଚାଳନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମୟ ଉପଯୋଗୀ ତଥ୍ୟ ଆଦାନ-ପ୍ରଦାନ ଓ ସମନ୍ୱୟ ନିହାତି ଜରୁରୀ।

Leave A Reply

Your email address will not be published.