Latest Odisha News

BREAKING NEWS

ଆମ୍ବୁଲାନ୍ସରେ ଯାନ୍ତ୍ରିକ ତୃଟି କାରଣରୁ ଚାଲିଗଲା ରୋଗୀର ଜୀବନ

ଭବାନୀପାଟଣା: ୧୦୮ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି କାରଣରୁ ଚାଲିଗଲା ରୋଗୀଙ୍କ ଜୀବନ । କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭବାନୀପାଟଣା ନେବା ବାଟରେ ମୃତ୍ୟୁ ହୋଇଛି । ୧୧ ବର୍ଷୀୟ ଝିଅର ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ଆଣିଲେ ବାପା । ବାଟରେ ଚକା ପଙ୍କଚର ହେବାରୁ ୩ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ । ତେବେ ଅନ୍ୟ ଚକଟି ମଧ୍ୟ ଖରାପ ଥିଲା ।

ସୂଚନା ଅନୁଯାୟୀ, ନର୍ଲା ବ୍ଲକ୍ ଅନ୍ତର୍ଗତ ତୁଲାପଡାର ଦିନଘର ନାଏକଙ୍କ ୧୧ ବର୍ଷର ଝିଅ ରିୟା ନାଏକଙ୍କ ପେଟ ଯନ୍ତ୍ରଣା ହେବାରୁ ଆଜି ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଗଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ୧୦୮ ଆମ୍ବୁଲାନ୍ସରେ ନର୍ଲାରୁ ଭବାନୀପାଟଣା ଆସୁଥିବା ବେଳେ ଗୋହିରାପଦର ରେଳ ଫାଟକ ନିକଟରେ ଆମ୍ବୁଲାନ୍ସର ଚକା ପଙ୍କଚର ହୋଇଯାଇଥିଲା ।

ଆମ୍ବୁଲାନ୍ସ ଡ୍ରାଇଭର ଚକା ବଦଳାଇବା ବେଳେ ଅନ୍ୟ ଚକାଟି ମଧ୍ୟ ଅଚଳ ଥିବା ଜଣାପଡ଼ିଥିଲା । ପରିବାର ଲୋକେ ଅନ୍ୟ ଆମ୍ବୁଲାନ୍ସର ସହାୟତା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଙ୍ଗେ ସଙ୍ଗେ କିଛି ମିଳନିଥିଲା । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆଉ ଗୋଟିଏ ଆମ୍ବୁଲାନ୍ସ ଆସିବା ପରେ ରିୟାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଗଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ମୃତ ଝିଅର ବାପା । ୧୦୮ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣା ଅଭାବରୁ ଏଭଳି ଅଘଟଣ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ, ବାଟରେ ବିଳମ୍ବ ଓ ରୋଗୀ ପହଞ୍ଚିଲା ବେଳକୁ ମୃତ୍ୟୁକୁ ମାନିଲେ ମେଡିକାଲ କର୍ତ୍ତୃପକ୍ଷ ।

Leave A Reply

Your email address will not be published.