କୋଲକତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ବସ୍ତି । ଦଳର ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଅନୁମତି ଦେଲେ କୋଲିକତା ହାଇକୋର୍ଟ । ଏଥିରପାଇଁ ଏକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । କୋର୍ଟ ଦ୍ବାରା ନିଯୁକ୍ତ କରାଯାଇଥିବା ଏକ ଅଧିକାରୀଙ୍କ ତତ୍ତ୍ବାବଧାନରେ ହିଁ ବ୍ୟାଙ୍କ ଆକାଉଣ୍ଟ ଅପରେଟ କରିବାକୁ ହେବ ।
ଏହା ସହ ପୋଲିସର ରକେଟ୍ ସ୍ପିଡ୍ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ଟିଏମସିର ଜଣେ ବିଦ୍ରୋହୀ ବିଧାୟକ ବିଶ୍ୱନାଥ ଦାସ ଦଳୀୟ ପାଣ୍ଠିର ଅପବ୍ୟବହାର ଓ ହେରଫେର୍ ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ବିଧାନନଗର ପୋଲିସ ଅତି ତରବରିଆ ଭାବେ ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ‘ଡେବିଟ୍ ଫ୍ରିଜ୍’ କରିଦେଇଥିଲା । ଫଳରେ ଟିଏମସିର ସମସ୍ତ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।
ଦୈନନ୍ଦିନ ଖର୍ଚ୍ଚ ପାଇଁ ଆକାଉଣ୍ଟ ବ୍ୟବହାର କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଟିଏମସିର ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଖର୍ଚ୍ଚ ପରିଚାଳନା ପାଇଁ କୋର୍ଟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସ୍ପେଶାଲ ଅଫିସର ଚେକ୍ ରେ ସ୍ୱାକ୍ଷର କରିବା ପରେ ହିଁ ବ୍ୟାଙ୍କରୁ ଟଙ୍କା ଉଠାଯାଇପାରିବ । ଏହି ସ୍ପେଶାଲ ଅଫିସରଙ୍କୁ ମାସିକ ୧ଲକ୍ଷ ୨୫ ହଜାର ଟଙ୍କାର ପାରିଶ୍ରମିକ ଦିଆଯିବ । ଯାହା ଆବେଦନକାରୀ ଦଳ ସେହି ବ୍ୟାଙ୍କ ଆକାଉଣ୍ଟରୁ ପ୍ରଦାନ କରିବେ ।
ଶୁଣାଣି ସମୟରେ ଜଜ୍ ପଶ୍ଚିମବଙ୍ଗ ପୋଲିସ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଦାଲତ କହିଛନ୍ତି, ଜଣେ ଗରିବ ନାଗରିକ ଯେତେବେଳେ ଥାନାକୁ ଯାଏ, ପୋଲିସ ଏଭଳି ସକ୍ରିୟତା ଦେଖାଏ ନାହିଁ । କିନ୍ତୁ ଏହି ମାମଲାରେ ଜୁନ୍ ୧୮ ତାରିଖ ସନ୍ଧ୍ୟା ୬ଟାରେ ଏଫଆଇଆମର ଦାୟର ହେଲା ଏବଂ ତା ପରଦିନ ଅର୍ଥାତ୍ ଜୁନ୍ ୧୯ ତାରିଖରେ ଅତି ତରବରିଆ ଭାବେ ୩ଟି ଯାକ ଆକାଉଣ୍ଟକୁ ଡେବିଟ୍ ଫ୍ରିଜ୍ କରାଗଲା । ପୋଲସ କେଉଁ ଆଧାରରେ ଏତେ ଶୀଘ୍ର ଏହି ପଦକ୍ଷେପ ନେଲା, ତାର କୌଣସି ସ୍ପଷ୍ଟ ପ୍ରମାଣ କୋର୍ଟଙ୍କୁ ମିଳିନାହିଁ ।