Latest Odisha News

BREAKING NEWS

ଯୁକ୍ତ ୨ ନାମଲେଖା ପାଇଁ ଲାଗିବନି ଟଙ୍କାଟିଏ ବି ଫି’, କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ‘କେଜିରୁ ପିଜି ମାଗଣା ଶିକ୍ଷା’ ଯୋଜନାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନା ଓ ଦ୍ୱନ୍ଦ୍ୱ ଉପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଶେଷ କରି ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ (+୨) ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କଠାରୁ ଆଡମିଶନ ଫି’ ନିଆଯିବ କି ନାହିଁ, ସେନେଇ ଥିବା ଆଶଙ୍କାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ରୂପେ ଦୂର କରିଛି। ନୂଆ ସ୍ପଷ୍ଟୀକରଣ ଅନୁଯାୟୀ, ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ଫି’ ଦେବାକୁ ପଡ଼ିବ ନାହିଁ।

ଏହି ପ୍ରସଙ୍ଗରେ ଗଣଶିକ୍ଷା ବିଭାଗର କମିଶନର ଏନ୍. ଥିରୁମାଲା ନାୟକ ଉଭୟ ଉଚ୍ଚ ମାଧ୍ୟମିକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏକ ସ୍ୱତନ୍ତ୍ର ଚିଠି ଲେଖି ସ୍ଥିତି ସ୍ପଷ୍ଟ କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁସାରେ, ମାଗଣା ଶିକ୍ଷା ଯୋଜନା ଅଧୀନରେ ଆସୁଥିବା ସମସ୍ତ ସରକାରୀ ଏବଂ ଯୋଗ୍ୟ ବିବେଚିତ ଶିକ୍ଷାନୁଷ୍ଠାନଗୁଡ଼ିକୁ କଡ଼ା ତାଗିଦ୍ କରାଯାଇଛି ଯେ, ଆଡମିଶନ ପ୍ରକ୍ରିୟା ସମୟରେ ପିଲାଙ୍କଠାରୁ ଟଙ୍କାଟିଏ ବି ଆଦାୟ କରାଯାଇପାରିବ ନାହିଁ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ ବିଶେଷ ଉପକୃତ ହେବା ସହ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଶିକ୍ଷା ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ଫି’ ଆଦାୟ ପ୍ରକ୍ରିୟାକୁ ନେଇ କଲେଜ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ କିଛିଟା ଅସ୍ପଷ୍ଟତା ଦେଖାଦେଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ କମିଶନର ଆଜି ଚିଠି ସଂଖ୍ୟା ୧୮୩୪୪ ମାଧ୍ୟମରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

ନାମଲେଖା ସମୟରେ ଶତପ୍ରତିଶତ ଫି’ ଛାଡ଼ କରାଯିବା ନେଇ ଘୋଷଣା ହୋଇସାରିଥିବା ବେଳେ, ଆଗାମୀ ଦିନରେ ଏହି ଯୋଜନାର ସଫଳ ରୂପାୟନ ଏବଂ ପରିଚାଳନା ପାଇଁ ଏକ ବିସ୍ତୃତ ଗାଇଡଲାଇନ୍ ବା ମାର୍ଗଦର୍ଶିକା ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.