ନୂଆଦିଲ୍ଲୀ: ଗାଡ଼ିର ଟାୟାରରେ ପବନ ଟିକିଏ କମ୍ ଥିଲେ, ଆମେ ପ୍ରାୟତଃ ଏହାକୁ ଅଣଦେଖା କରିଦେଉ। “ଆଉ କିଛି ବାଟ ଗଲା ପରେ ପକାଇଦେବା” ଭାବି ଆମେ ଗାଡ଼ି ଚଳାଇଥାଉ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗାଡ଼ି ଚାଳକଙ୍କର ଏହି ଗୋଟିଏ ଛୋଟିଆ ଅବହେଳା ଯୋଗୁଁ ପ୍ରତିବର୍ଷ ଦେଶର ୪,୫୦୦ କୋଟି ଟଙ୍କାର ପେଟ୍ରୋଲ ଅଯଥାରେ ବର୍ବାଦ ହେଉଛି। କେବଳ ସେତିକି ନୁହେଁ, ପବନ କମ୍ ଥିବା ଟାୟାର ଦୁର୍ଘଟଣାର ଆଶଙ୍କାକୁ ମଧ୍ୟ ବହୁଗୁଣିତ କରିଥାଏ। ଅଟୋମୋଟିଭ୍ ଟାୟାର ମାନୁଫାକ୍ଚରର୍ସ ଆସୋସିଏସନର ଏକ ସର୍ଭେରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଭାରତୀୟ ଟାୟାର ବୈଷୟିକ ଉପଦେଷ୍ଟା କମିଟି ଦ୍ୱାରା ଏକ ବଡ଼ ଧରଣର ସର୍ଭେ କରାଯାଇଥିଲା। ଏହି ସର୍ଭେରେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶର ପ୍ରାୟ ୧.୩ ଲକ୍ଷ ଯାତ୍ରୀବାହୀ ଗାଡ଼ିର ଟାୟାର ପ୍ରେସର ଯାଞ୍ଚ କରାଯାଇଥିଲା।
୩୨% ଗାଡ଼ିର ଟାୟାରରେ ପ୍ରେସର, କମ୍ପାନୀ ଦ୍ୱାରା ନିର୍ଦ୍ଧାରିତ ମାତ୍ରା ଠାରୁ ୨୦% ରୁ ଅଧିକ କମ୍ ଥିଲା। ଆଉ ୨୧% ଗାଡ଼ିରେ ଏହି ପବନର ମାତ୍ରା ୧୦% ରୁ ୨୦% ମଧ୍ୟରେ କମ୍ ଥିବା ଦେଖିବାକୁ ମିଳିଥିଲା। ଅର୍ଥାତ୍ ରାସ୍ତାରେ ଚାଲୁଥିବା ଅଧାରୁ ଅଧିକ ଗାଡ଼ିର ଟାୟାରରେ ଉପଯୁକ୍ତ ପବନ ନାହିଁ।
ଟାୟାରରେ ପବନ କମ୍ ଥିଲେ ଏହା ରାସ୍ତା ସହ ଅଧିକ ଘର୍ଷଣ ସୃଷ୍ଟି କରେ। ଫଳରେ ଗାଡ଼ିକୁ ଆଗକୁ ବଢ଼ାଇବା ପାଇଁ ଇଞ୍ଜିନ ଉପରେ ଅଧିକ ଚାପ ପଡ଼େ ଏବଂ ଇଞ୍ଜିନ ଅଧିକ ଇନ୍ଧନ ଟାଣିଥାଏ। ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ ଟାୟାର ପ୍ରେସରରେ ମାତ୍ର ୧ ପିଏସ୍ଆଇ (PSI) ହ୍ରାସ ପାଇଲେ ଇନ୍ଧନ ଦକ୍ଷତା (ମାଇଲେଜ୍) ପ୍ରାୟ ୦.୨ ପ୍ରତିଶତ କମିଯାଏ।
ଏହି ହିସାବରେ ଦେଖିଲେ, ଭାରତରେ ପ୍ରତିବର୍ଷ ପ୍ରାୟ ୪୨.୫୭ କୋଟି ଲିଟର ପେଟ୍ରୋଲ କେବଳ ଟାୟାରରେ ପବନ କମ୍ ଥିବା କାରଣରୁ ନଷ୍ଟ ହେଉଛି। ବର୍ତ୍ତମାନର ବଜାର ଦର ଅନୁସାରେ ଏହାର ମୂଲ୍ୟ ୪,୫୦୦ କୋଟି ଟଙ୍କାରୁ ଅଧିକ ହେବ। ଏବଂ ଏହି ହିସାବରେ କେବଳ ପେଟ୍ରୋଲ୍କୁ ନିଆଯାଇଛି, ଯଦି ଏଥିରେ ଡିଜେଲ ଏବଂ ସିଏନଜି (CNG) କୁ ମିଶାଯାଏ, ତେବେ କ୍ଷତିର ପରିମାଣ କଳ୍ପନା ବାହାରେ ହେବ।
ATMA ର ସେଫ୍ଟି ଆୱାର୍ନେସ୍ ଗ୍ରୁପର ଅଧ୍ୟକ୍ଷ ସୁଦର୍ଶନ ଏସ୍ ଗୁସାଇନ୍ ସତର୍କ କରାଇ ଦେଇଛନ୍ତି ଯେ, କମ୍ ପବନ ଥିବା ଟାୟାର କେବଳ ଆର୍ଥିକ କ୍ଷତି କରେ ନାହିଁ, ବରଂ ଏହା ଦୁର୍ଘଟଣା ମଧ୍ୟ ଘଟାଇଥାଏ।
କମ୍ ପବନ ଥିଲେ ଗାଡ଼ି ଚାଲିବା ବେଳେ ଟାୟାର ଅଧିକ ଗରମ ହୋଇଯାଏ, ଯାହା ଫଳରେ ହାଇସ୍ପିଡ୍ରେ ଟାୟାର ଫାଟିଯିବାର (Blowout) ଭୟ ଥାଏ।
ବ୍ରେକ୍ ମାରିବା ସମୟରେ ଗାଡ଼ି ଠିକ୍ ଜାଗାରେ ନଅଟକି ଅଧିକ ବାଟ ଘୋଷାଡ଼ି ହୋଇଯାଏ, ଯାହାକି ଖରାପ ପାଗରେ କିମ୍ବା ଓଦା ରାସ୍ତାରେ ସାଂଘାତିକ ପ୍ରମାଣିତ ହୋଇପାରେ।
ଟାୟାରଗୁଡ଼ିକ ଶୀଘ୍ର ଏବଂ ଅସମାନ ଭାବେ ଖରାପ ହୋଇଯାଏ, ଯାହା ଗ୍ରାହକଙ୍କୁ ବାରମ୍ବାର ନୂଆ ଟାୟାର କିଣିବାକୁ ବାଧ୍ୟ କରେ।
ତେଣୁ, ଆଗାମୀ ଥର ପେଟ୍ରୋଲ୍ ପମ୍ପକୁ ଗଲେ କେବଳ ତେଲ ପକାଇ ଫେରିଆସନ୍ତୁ ନାହିଁ, ନିଜ ଗାଡ଼ିର ଟାୟାର ପ୍ରେସର ନିଶ୍ଚିତ ଭାବେ ଚେକ୍ କରାନ୍ତୁ। ଏହା ଆପଣଙ୍କ ପକେଟ୍ ଏବଂ ଜୀବନ ଉଭୟକୁ ସୁରକ୍ଷିତ ରଖିବ।