ଭୁବନେଶ୍ୱର:ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ ମ୍ୟାଟେରିଆଲ୍ସ ଆଣ୍ଡ ସଷ୍ଟେନେବଲ୍ ଡେଭେଲପମେଣ୍ଟ’ (ସ୍ଵଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ କେନ୍ଦ୍ର) ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି ।
ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା, ନବୋନ୍ମେଷ, ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ଶୈଳୀର ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଓଡ଼ିଶା ଅର୍ବାନ ଏକାଡେମୀ , ଆଇଆଇଟି ଭୁବନେଶ୍ୱର ଏବଂ ଡେଭେଲପମେଣ୍ଟ ଅଲଟରନେଟିଭ୍ସ ମଧ୍ୟରେ ଏହି ଏମଓୟୁ ସ୍ଵାକ୍ଷରିତ ହୋଇଛି ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ୨୦୩୬ ସୁଦ୍ଧା ଏକ ‘ବିକଶିତ ଓଡ଼ିଶା’ ଗଠନ କରିବା ଦିଗରେ ଦୃଢ଼ତାର ସହ ଆଗେଇ ଚାଲିଛି, ଯାହା ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଜାତୀୟ ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ ସହରୀ ବିକାଶ କେବଳ ଭୌତିକ ଭିତ୍ତିଭୂମି ନିର୍ମାଣ ମଧ୍ୟରେ ସୀମିତ ନରହି, ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନସାଧାରଣ ଭିତ୍ତିଭୂମି ଏବଂ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ ।
ଏହି ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’କୁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହା ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ସାଜିବ ।
ଏହାର ପ୍ରଥମ ପ୍ରମୁଖ ପଦକ୍ଷେପ ସ୍ଵରୂପ, ଏହି ସେଣ୍ଟର ଅଫ୍ ଏକ୍ସଲେନ୍ସ ଦ୍ରୁତ ଗତିରେ ସହରୀକରଣ ହେଉଥିବା ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଜଟଣୀ ଏବଂ ପିପିଲି କ୍ଲଷ୍ଟର ପାଇଁ ‘ନିର୍ମାଣ ଓ ଭଙ୍ଗାଯାଇଥିବା ଆବର୍ଜନା’ (Construction and Demolition – C&D Waste) ପରିଚାଳନା ନିମନ୍ତେ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିବ । ଏହି ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ ଓ ଭଙ୍ଗାଯାଇଥିବା ଆବର୍ଜନା ସୃଷ୍ଟିର ବୈଜ୍ଞାନିକ ମୂଲ୍ୟାଙ୍କନ, ଏକ ସମନ୍ୱିତ ବର୍ଜ୍ୟବସ୍ତୁ ପରିଚାଳନା କୌଶଳ ପ୍ରସ୍ତୁତି, ଅଭିନବ ପ୍ରଯୁକ୍ତିବିଦ୍ୟାର ପ୍ରସାର, ଆନୁଷ୍ଠାନିକ ଦକ୍ଷତା ବୃଦ୍ଧି ଏବଂ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ପଦକ୍ଷେପ ଅଧୀନରେ ପ୍ରସ୍ତୁତ କରାଯାଉଥିବା ରୂପରେଖ ଓଡ଼ିଶାର ଅନ୍ୟାନ୍ୟ ସହରୀ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟକାରୀ କରିବା ପାଇଁ ଏକ ଅନୁକରଣୀୟ ମଡେଲ ଭାବେ କାର୍ଯ୍ୟ କରିବ ।
ଏହି ସହଭାଗିତା ତିନୋଟି ଯାକ ସହଯୋଗୀ ଅନୁଷ୍ଠାନର ପରିପୂରକ ଦକ୍ଷତାକୁ ଏକାଠି କରିଛି । ଆଇଆଇଟି ଭୁବନେଶ୍ୱର ଗବେଷଣାତ୍ମକ ସହାୟତା, ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟାଗତ ନବୋନ୍ମେଷ ପ୍ରଦାନ କରିବ , ଡେଭେଲପମେଣ୍ଟ ଅଲଟରନେଟିଭ୍ସ ଏହାର କାର୍ଯ୍ୟାନ୍ୱୟନରେ ସହାୟତା କରିବା ସହ ସ୍ଥାୟୀ ନିର୍ମାଣ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସାହିତ କରିବ ଏବଂ ଓଡ଼ିଶା ଅର୍ବାନ ଏକାଡେମୀ ପୌରସଂସ୍ଥା ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଦକ୍ଷତା ବିକାଶ, ନୀତିଗତ ସହାୟତା ଏବଂ ଜ୍ଞାନର ପ୍ରସାର ଦିଗରେ ନେତୃତ୍ୱ ନେବ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କେନ୍ଦ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଵଳ୍ପ-କାର୍ବନ ନିର୍ମାଣ ସାମଗ୍ରୀ ଏବଂ ନିର୍ମାଣ ଓ ଭଙ୍ଗାଯାଇଥିବା ଆବର୍ଜନା ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପରିସରକୁ ସହରୀ ବାୟୁ ଗୁଣବତ୍ତା ନିରୀକ୍ଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜଳର ଗୁଣବତ୍ତା ମୂଲ୍ୟାଙ୍କନ ଏବଂ ଅନ୍ୟାନ୍ୟ ସ୍ଥାୟୀତ୍ୱ ସମ୍ବନ୍ଧୀୟ କ୍ଷେତ୍ରକୁ ସମ୍ପ୍ରସାରିତ କରାଯିବ।
ଏହି ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ଓଡ଼ିଶାର ଜଳବାୟୁ-ସହନଶୀଳ, ପରିବେଶ ଅନୁକୂଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରୀ ବିକାଶ ଅଭିମୁଖେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ରାଜ୍ୟର ଅନ୍ୟ ସହରଗୁଡ଼ିକ ପାଇଁ ଅନୁକରଣୀୟ ମଡେଲ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।