Latest Odisha News

BREAKING NEWS

ଜେଲ୍ ଗଲେ ଆପେ ଆପେ ଖସିବ ମୁକୁଟ! ସଂସଦରେ ଆସିବ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍, ଛାନିଆରେ ନେତା

ନୂଆଦିଲ୍ଲୀ: ସାଧାରଣତଃ ନେତାମାନେ ଗିରଫ ହୋଇ ଜେଲ୍ ଗଲେ ମଧ୍ୟ ସହଜରେ ନିଜ ଚୌକି ଛାଡ଼ିବାକୁ ନାରାଜ ହୁଅନ୍ତି। ଏପରିକି ଜେଲ୍ ଭିତରୁ ସରକାର ଚଳାଇବାର ଉଦାହରଣ ମଧ୍ୟ ଦେଶରେ ଦେଖିବାକୁ ମିଳିଛି। କିନ୍ତୁ ଏବେ ଏହି ପରମ୍ପରା ଉପରେ ରୋକ୍ ଲଗାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସଂସଦରେ ଏକ ନୂଆ ବିଲ୍ ଆଗତ ହୋଇଛି, ଯାହା ପାସ୍ ହେଲେ କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ୩୦ ଦିନ ଜେଲରେ ରହିଲେ ତାଙ୍କର ଚୌକି ସ୍ୱତଃପ୍ରବୃତ୍ତ ଭାବେ ଚାଲିଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ (130th Constitutional Amendment Bill) ଆଗତ କରିବା ପରେ ଏବେ ରାଜନୈତିକ ମହଲରେ ତୀବ୍ର ଉଷ୍ମତା ଦେଖିବାକୁ ମିଳିଛି।

 

 

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏହି ବିଲ୍ ମୁତାବକ: କୌଣସି ଅପରାଧିକ ମାମଲାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର କିମ୍ବା ରାଜ୍ୟ କ୍ୟାବିନେଟର କୌଣସି ମନ୍ତ୍ରୀ ଯଦି ଗିରଫ ହୁଅନ୍ତି ଏବଂ ଲଗାତାର ୩୦ ଦିନ ଧରି ନ୍ୟାୟିକ ହେପାଜତ (ଜେଲ୍) ରେ ରହନ୍ତି, ତେବେ ସେମାନଙ୍କ ମନ୍ତ୍ରୀ ପଦ ରଦ୍ଦ ହୋଇଯିବ।

 

୩୧ତମ ଦିନରେ ସେମାନେ ଆପେ ଆପେ ନିଜ ପଦବୀରୁ ବହିଷ୍କୃତ ହୋଇଯିବେ। ଏଥିପାଇଁ କୌଣସି ସ୍ୱତନ୍ତ୍ର ଇସ୍ତଫାର ଆବଶ୍ୟକତା ପଡ଼ିବ ନାହିଁ।

 

ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ନିୟମ ବଳରେ ସେମାନଙ୍କର ସାଂସଦ କିମ୍ବା ବିଧାୟକ ପଦବୀ ରଦ୍ଦ ହେବ ନାହିଁ, କେବଳ ସେମାନଙ୍କ ହାତରୁ କ୍ଷମତା ଏବଂ ବିଭାଗ ଛଡ଼ାଇ ନିଆଯିବ। ଅର୍ଥାତ୍ ଜେଲ୍ ଭିତରୁ ଆଉ କେହି ସରକାର ଚଳାଇ ପାରିବେ ନାହିଁ।

 

ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌ର ସମର୍ଥନରେ କହିଛନ୍ତି ଯେ, ଗଣତନ୍ତ୍ରରେ ପଦବୀର ଗରିମା ବଜାୟ ରଖିବା ନିହାତି ଜରୁରୀ। ଜେଲକୁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ଆବାସରେ ପରିଣତ କରିବା ଏବଂ ସେଠାରୁ ଡିଜିପି କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ଗଣତନ୍ତ୍ର ପ୍ରତି ବିପଦ। ସେ ଆହୁରି ମଧ୍ୟ ଖୁଲାସା କରିଛନ୍ତି ଯେ, ଏହି ବିଲ୍‌ରେ ‘ପ୍ରଧାନମନ୍ତ୍ରୀ’ ପଦବୀକୁ ସାମିଲ କରିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଦ୍ ଧରିଥିଲେ, ଯାହାଦ୍ୱାରା ଆଇନ ସମସ୍ତଙ୍କ ପାଇଁ ସମାନ ହୋଇପାରିବ।

 

ଅନ୍ୟପଟେ କଂଗ୍ରେସ ସମେତ ବିରୋଧୀ ମେଣ୍ଟ ଏହି ବିଲ୍‌କୁ କଡ଼ା ବିରୋଧ କରିଛି। କଂଗ୍ରେସ ସାଂସଦ କେ.ସି. ଭେଣୁଗୋପାଳ ଏବଂ ଅନ୍ୟ ବିରୋଧୀ ନେତାଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଜାଣିଶୁଣି ଏହାକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯାଉଛନ୍ତି। ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରି ବିରୋଧୀ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଗିରଫ କରାଇ ସେମାନଙ୍କ କ୍ଷମତା ଛଡ଼ାଇ ନେବା ହେଉଛି ବିଜେପିର ମୁଖ୍ୟ ଉଦ୍ଦେଶ୍ୟ।

 

ରାଜନୀତିରେ ଅପରାଧିକରଣ ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ଆସିଥିବା ଏହି ବିଲ୍ ପାସ୍ ହେଲେ ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.