ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାପ୍ରଭୁ: ଗଜପତିଙ୍କୁ ଖୁସି ଖବର ଦେବାକୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ‘ରାଜପ୍ରସାଦ ବିଜେ’ ନୀତି
ପୁରୀ: କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦଦାୟକ ଖବର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପଡ଼ିଥିବା ମହାପ୍ରଭୁ ଏବେ ଅଣସର ଗୃହରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଶ୍ରୀଜିଉଙ୍କର ଜ୍ୱର ଛାଡ଼ିଯାଇଥିବା ବେଳେ, ଏହି ଶୁଭ ଖବର ପ୍ରଥମେ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜାଙ୍କୁ ଅବଗତ କରାଯିବାର ପରମ୍ପରା ରହିଛି। ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ଅଣସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ବହୁ ପ୍ରତୀକ୍ଷିତ ‘ରାଜପ୍ରସାଦ ବିଜେ’ ନୀତି ଅନୁଷ୍ଠିତ ହେବାକୁ ଯାଉଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯିବ। ଏହାପରେ ବେହେରଣ ଦ୍ୱାର ଖୋଲାଯାଇ ସେଠାରୁ ରାଜପ୍ରସାଦ ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାର ଶୁଭବାର୍ତ୍ତା ଗଜପତି ମହାରାଜାଙ୍କୁ ଦେବା ପାଇଁ ଦଇତାପତି ଏବଂ ବିଦ୍ୟାପତି ସେବାୟତମାନେ ଶ୍ରୀନହର ଅଭିମୁଖେ ବାହାରିବେ। ଏହି ସମୟରେ ସେମାନେ ଠାକୁରଙ୍କର ପ୍ରସାଦ ସ୍ୱରୂପ କରାଳ, ଶ୍ରୀଚନ୍ଦନ ଏବଂ ପାଟବସ୍ତ୍ର ଆଦି ସାଙ୍ଗରେ ଧରି ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ। ଗଜପତିଙ୍କୁ ଏହି ସବୁ ସାମଗ୍ରୀ ପ୍ରଦାନ କରାଯିବା ସହ ଠାକୁରଙ୍କ ସୁସ୍ଥତା ସମ୍ପର୍କରେ ଔପଚାରିକ ଭାବେ ଅବଗତ କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଅଣସରର ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରାଜବୈଦ୍ୟଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ଦଶମୂଳ ଔଷଧ’ ଲାଗି କରାଯାଇଥିଲା। ଏଥିସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ନୀତି ମଧ୍ୟ ସମ୍ପନ୍ନ ହୋଇଥିଲା। ଏହି ପାରମ୍ପରିକ ଦିବ୍ୟ ଚିକିତ୍ସା ଏବଂ ଔଷଧ ସେବନ ପରେ ଶେଷରେ ତିନି ଠାକୁରଙ୍କ ଜ୍ୱର ଭଲ ହୋଇଯାଇଛି।
ମହାପ୍ରଭୁ ସୁସ୍ଥ ହେବା ଖବର ମିଳିବା ପରେ ଏବେ ନବଯୌବନ ଦର୍ଶନ ଏବଂ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରିୟ ଦେବତାଙ୍କର ଆରୋଗ୍ୟ ଖବର ଭକ୍ତମାନଙ୍କ ମନରେ ନୂଆ ଉତ୍ସାହ ଓ ଭକ୍ତିଭାବ ସୃଷ୍ଟି କରିଛି।