Latest Odisha News

BREAKING NEWS

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ପର୍ଦ୍ଦାଫାସ୍ କରିବ କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମର ଖୋଳତାଡ଼

ଭୁବନେଶ୍ୱର: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆକ୍ସନ ମୋଡ୍‌ରେ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ମାମଲାରେ ଏଫଆଇଆର ଦେବାକୁ ଯାଇଛନ୍ତି ଏସସିଇଆରଟି ନିର୍ଦ୍ଦେଶିକା। ଆଜିଠୁ କ୍ରାଇମବ୍ରାଞ୍ଚ ଖୋଳତାଡ଼। ତଦନ୍ତ କରୁଛି ୫ଜଣିଆ ଟିମ୍। ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପଛରେ କାହାର ଭୂମିକା ରହିଛି, ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହି ଟିମ୍‌ ତ୍ରୁଟି କିପରି ହେଲା, କେଉଁମାନେ ଏଥିରେ ସମ୍ପୃକ୍ତ ଏବଂ ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେନେଇ ତଦନ୍ତ କରିବ।

ସମଗ୍ର ଘଟଣାର ପର୍ଦ୍ଦାଫାଶ ପାଇଁ ଜଣେ ଏସପିଙ୍କ ନେତୃତ୍ୱରେ ଜଣେ ଡିଏସପି ଓ ୩ ଜଣ ଅଫିସରଙ୍କୁ ନେଇ ଏକ ୫ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ହସ୍ତାନ୍ତର ହେବା ପରେ କ୍ରାଇମବ୍ରାଞ୍ଚ ଏହି ଷଡ଼ଯନ୍ତ୍ର ପଛରେ ଥିବା ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରୁଛି। ସେପଟେ ଏନେଇ ଗଣଶିକ୍ଷା ବିଭାଗର ରୁଦ୍ଧଦ୍ଵାର ବୈଠକ ହୋଇଛି। ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ବୈଠକ କରିଛନ୍ତି।

ପାଠ୍ୟପୁସ୍ତକ ପ୍ରସ୍ତୁତି, ଯାଞ୍ଚ ଓ ପ୍ରକାଶନ ପ୍ରକ୍ରିୟାରେ କେଉଁଠି ଅବହେଳା ହୋଇଛି, ତାହା ମଧ୍ୟ ଯାଞ୍ଚ ପରିସରକୁ ଆସିବ । ସରକାରୀ ପାଠ୍ୟପୁସ୍ତକରେ ତ୍ରୁଟିକୁ ଗୁରୁତ୍ୱର ସହ ନେଇଛନ୍ତି ସରକାର । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ପଦକ୍ଷେପ ନିଆଯିବ। ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିବା SCERT ଉପରେ ଫୋକସ୍ ରହିବ। ରାଜ୍ୟ ଷ୍ଟିୟରିଂ କମିଟି, କୋର କମିଟି, ସମ୍ପାଦନା ଓ ସମୀକ୍ଷକ ମଣ୍ଡଳୀ ଜେରାର ସମ୍ମୁଖୀନ ହେବେ। ଏନସିଇଆରଟି ବହିର ଛବି କିଭଳି ଓଡ଼ିଆ ପୁସ୍ତକରେ ରହିଗଲା, ତାହାର ବିଶେଷ ଅନୁଧ୍ୟାନ କରାଯିବ।

Leave A Reply

Your email address will not be published.