ସୋର: ବାଲେଶ୍ୱରରେ ବେଆଇନ ଲିଙ୍ଗ ନିରୂପଣ ଓ ବେଆଇନ ଗର୍ଭପାତ (MTP) ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିସି ପିଏନଡିଟି ଆଇନ ଅଧୀନରେ ରାଜ୍ୟ କର୍ତ୍ତୃପକ୍ଷ ଏବଂ ବାଲେଶ୍ୱର ଜିଲ୍ଲା କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ, ପିସି ପିଏନଡିଟି ଆଇନ ଉଲ୍ଲଙ୍ଘନ ସୂଚନା ଆଧାରରେ ସୋର ସ୍ଥିତ ଏକ ପଞ୍ଜୀକୃତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରରେ ଆକସ୍ମିକ ଯାଞ୍ଚ କରାଯାଇଥିଲା ।
ଯାଞ୍ଚରେ ମିଳିଥିବା ପ୍ରାଥମିକ ତଥ୍ୟ ଆଧାରରେ ସମ୍ପୃକ୍ତ ପ୍ରତିଷ୍ଠାନକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ ମିଳିତ ଦଳ ଦ୍ଵାରା ଏହି ଯାଞ୍ଚ କରାଯାଇଥିଲା ।
ଯାଞ୍ଚରେ ପିସି ପିଏନଡିଟି ଆଇନ ଓ ନିୟମାବଳୀର ଉଲଂଘନ ସମ୍ପର୍କରେ କିଛି ପ୍ରାଥମିକ ତଥ୍ୟ ଯାଞ୍ଜକାରୀ ଟିମ ଦୃଷ୍ଟିକୁ ଆସିଛି । ଏହି କେନ୍ଦ୍ର ଦୀର୍ଘ ଦିନ ଧରି ଅନଲାଇନ୍ ଫର୍ମ-ଏଫ୍ (Form F) ଦାଖଲ ନ କରିବା, ଅଲ୍ଟ୍ରାସାଉଣ୍ଡ କକ୍ଷରେ ଡାକ୍ତରଙ୍କ ନାମ, ଯୋଗ୍ୟତା ଓ ପଞ୍ଜୀକରଣ ସଂଖ୍ୟା ପ୍ରଦର୍ଶନ ନ କରିବା ଓ ଆବଶ୍ୟକୀୟ ଦଲିଲପତ୍ର ସଠିକ ଭାବେ ନ ରହିବା ଆଦି ଯାଞ୍ଜକାରୀ ଟିମ ଲକ୍ଷ କରିଛନ୍ତି । ସମ୍ପୃକ୍ତ ଦଲିଲପତ୍ର, ଉପକରଣ ଓ ଅନ୍ୟାନ୍ୟ ପ୍ରମାଣ ସୁରକ୍ଷିତ ରଖାଯାଇଛି । ତଦନ୍ତ ସମୟରେ ମିଳିଥିବା ଡିଜିଟାଲ୍ ସାମଗ୍ରୀର ମଧ୍ୟ ଯାଞ୍ଚ ଚାଲିଛି । ଆଇନସମ୍ମତ ଭାବେ ଗ୍ରହଣଯୋଗ୍ୟ ପ୍ରମାଣ ଏବଂ ବିଧିସମ୍ମତ ପ୍ରକ୍ରିୟା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତଦନ୍ତ ଓ ସମସ୍ତ ପ୍ରମାଣର ଯାଞ୍ଚ ଶେଷ ହେବା ପରେ ବିଧିବଧ ନୋଟିସ୍ ଜାରି କରାଯିବ ଏବଂ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲିଙ୍ଗ ନିର୍ଣ୍ଣୟ ଓ କନ୍ୟା ଭ୍ରୂଣହତ୍ୟାକୁ ରୋକିବା ସହ ସମଗ୍ର ରାଜ୍ୟରେ ପିସି ପିଏନଡିଟି ଆଇନର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ନେଉଛନ୍ତି ।