Latest Odisha News

BREAKING NEWS

16-day fast: ୧୬ ଦିନ ଧରି ଉପବାସରେ ସୋନମ ୱାଙ୍ଗଚୁକ! ଅଧିକ ଦିନ ନଖାଇଲେ ଶରୀରରେ ହୁଏ କ’ଣ?

ନୂଆଦିଲ୍ଲୀ: ୧୬ ଦିନ ହେଲାଣି ଦାନାଟିଏ ବି ନେଇନାହାନ୍ତି ସୋନମ ଓ୍ବାଙ୍ଗଚୁକ୍!

ଜାଣନ୍ତୁ, ଶରୀର ଉପରେ କିପରି ପ୍ରଭାବ ପକାଏ ଉପବାସ?

ଶିକ୍ଷା ବ୍ୟବସ୍ଥାରେ ହେଉଥିବା ଅନିୟମିତତାକୁ ନେଇ ଲଦାଖର ପରିବେଶବିତ୍ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ୧୬ତମ ଦିନରେ ପହଞ୍ଚିଛି। ତାଙ୍କ ଓଜନ ବହୁତ କମିଯାଇଥିବା ସହ ରକ୍ତରେ ଶର୍କରା ସ୍ତର ମଧ୍ୟ ହ୍ରାସ ପାଇଥିବା କୁହାଯାଉଛି । ଏହି ସମୟରେ ଦୀର୍ଘ ସମୟ ଧରି ଖାଦ୍ୟ ନ ଖାଇଲେ ମଣିଷ ଶରୀରରେ କ’ଣ ପରିବର୍ତ୍ତନ ହୁଏ, ସେନେଇ ଡାକ୍ତରମାନେ ବିସ୍ତୃତ ତଥ୍ୟ ଦେଇଛନ୍ତି।

ପ୍ରଥମ ୨୪ ଘଣ୍ଟା: ଗ୍ଲୁକୋଜ୍ ଓ ଗ୍ଲାଇକୋଜେନ୍ ଉପରେ ନିର୍ଭର

ପ୍ରଥମ ଦିନ ଶରୀର ରକ୍ତରେ ଥିବା ଗ୍ଲୁକୋଜ୍ ଏବଂ ଯକୃତରେ ସଞ୍ଚିତ ଗ୍ଲାଇକୋଜେନ୍ ବ୍ୟବହାର କରେ। ଏହି ସମୟରେ ଇନସୁଲିନ୍ କମିଯାଏ ଏବଂ ଗ୍ଲୁକାଗନ୍ ବଢ଼ିଯାଏ। ଫଳରେ ଭୋକ, ମୁଣ୍ଡବିନ୍ଧା, କ୍ଳାନ୍ତି, ବିରକ୍ତି ଓ ଅଧିକ ଶୋଷ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏହି ପର୍ଯ୍ୟାୟରେ ଶରୀରରୁ ପାଣି ଓ ସୋଡିୟମ୍ ବାହାରିଯିବାରୁ ଓଜନ ଶୀଘ୍ର କମିବା ଆରମ୍ଭ ହୁଏ।

୨ରୁ ୩ ଦିନ: ଶରୀର ଚର୍ବି କମିବା ଆରମ୍ଭ କରେ

ଗ୍ଲାଇକୋଜେନ୍ ଶେଷ ହେବା ପରେ ଶରୀର ଚର୍ବିକୁ ଭାଙ୍ଗି ଶକ୍ତି ତିଆରି କରେ। ଯକୃତ ‘କେଟୋନ୍’ ସୃଷ୍ଟି କରିଥାଏ, ଯାହା ମସ୍ତିଷ୍କ ପାଇଁ ଶକ୍ତିର ପ୍ରମୁଖ ଉତ୍ସ ହୋଇଯାଏ। ଏହି ସମୟରେ କିଛି ମାଂସପେଶୀ ମଧ୍ୟ କ୍ଷୟ ହେବା ଆରମ୍ଭ ହୁଏ। ଦୁର୍ବଳତା, ମୁଣ୍ଡ ବୁଲାଇବା ଏବଂ ନିଶ୍ୱାସରୁ କେଟୋନ୍‌ର ଗନ୍ଧ ଆସିପାରେ। ତେବେ ଯେତେବେଳେ ଶରୀର ଶକ୍ତି ପାଇଁ ଗ୍ଲୁକୋଜ (ଶର୍କରା) ବ୍ୟବହାର କରିପାରେ ନାହିଁ, ସେତେବେଳେ ଏହା ଶକ୍ତି ଉତ୍ପାଦନ ପାଇଁ ଚର୍ବି (fat)କୁ ଭାଙ୍ଗିବା ଆରମ୍ଭ କରେ। ଏହି ପ୍ରକ୍ରିୟା ଦ୍ୱାରା କେଟୋନ୍ ନାମକ ଏସିଡ୍ ଉତ୍ପନ୍ନ ହୁଏ।

୪ରୁ ୮ ଦିନ: କିଟୋସିସ୍ ଅବସ୍ଥା

ପ୍ରଥମ ସପ୍ତାହ ଶେଷ ହେବା ବେଳକୁ ଶରୀର ସମ୍ପୂର୍ଣ୍ଣ ଭାବେ ଚର୍ବି ଓ କେଟୋନ୍ ଉପରେ ନିର୍ଭରଶୀଳ ହୋଇଯାଏ। ଭୋକ କମିଯାଏ, କିନ୍ତୁ ଶରୀରର ଶକ୍ତି ବ୍ୟୟ ହ୍ରାସ ପାଏ। ରକ୍ତଚାପ ଓ ହୃଦସ୍ପନ୍ଦନ କମିପାରେ। ଥଣ୍ଡା ଅଧିକ ଲାଗିବା, କୋଷ୍ଠକାଠିନ୍ୟ, ଶାରୀରିକ ଦୁର୍ବଳତା ଭଳି ସମସ୍ୟା ଦେଖାଯାଏ।

୮ରୁ ୧୨ ଦିନ: ଶରୀର ଶକ୍ତି ସଞ୍ଚୟ କରିବା ଆରମ୍ଭ କରେ

ଏହି ପର୍ଯ୍ୟାୟରେ ଶରୀରର ମେଟାବଲିଜମ୍ ଧୀର ହୋଇଯାଏ। ଚର୍ବି ମୁଖ୍ୟ ଶକ୍ତି ହୋଇ ରହିଥାଏ, କିନ୍ତୁ ମାଂସପେଶୀ ଧୀରେ ଧୀରେ କ୍ଷୟ ହୁଏ। ସୋଡିୟମ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍‌ର ଅଭାବ, ଡିହାଇଡ୍ରେସନ୍ ଓ ରକ୍ତଚାପ କମିବା ଭଳି ବିପଦ ବଢ଼ିଯାଏ। ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହେବାକୁ ଲାଗେ।

୧୨ ଦିନ ପରେ: ବଢ଼େ ଜୀବନ ପ୍ରତି ବିପଦ

ଦୁଇ ସପ୍ତାହରୁ ଅଧିକ ସମୟ ଖାଦ୍ୟ ନ ଖାଇଲେ ଶରୀରର ଏକାଧିକ ଅଙ୍ଗ ପ୍ରଭାବିତ ହେବା ଆରମ୍ଭ କରେ। ମାଂସପେଶୀ ଶୀଘ୍ର କ୍ଷୟ ହୁଏ, ହୃଦୟ ଓ ଶ୍ୱାସପ୍ରଶ୍ୱାସର ମାଂସପେଶୀ ମଧ୍ୟ ଦୁର୍ବଳ ହୋଇପାରେ। ହାଇପୋଗ୍ଲାଇସେମିଆ ବା ରକ୍ତରେ ଶର୍କରା ସ୍ତର ସ୍ୱାଭାବିକଠାରୁ ବହୁ କମିଯିବା, କିଡନି କ୍ଷତି, ସଂକ୍ରମଣ, ହୃଦସ୍ପନ୍ଦନରେ ଅସ୍ୱାଭାବିକତା ଏବଂ ଅଚେତ ହେବା ଭଳି ଗୁରୁତର ସମସ୍ୟାର ଆଶଙ୍କା ବଢ଼ିଯାଏ।

ହଠାତ୍ ଖାଇଲେ ବି ବଡ଼ ବିପଦ!

ଡାକ୍ତରଙ୍କ କହିବା ଅନୁଯାୟୀ, ଏତେ ଦିନର ଉପବାସ ପରେ ହଠାତ୍ ଅଧିକ ଖାଦ୍ୟ ଖାଇବା ଅତ୍ୟନ୍ତ ବିପଜ୍ଜନକ। ଏଥିରୁ ‘ରିଫିଡିଂ ସିଣ୍ଡ୍ରୋମ୍’ ହୋଇପାରେ, ଯେଉଁଥିରେ ଶରୀରର ଇଲେକ୍ଟ୍ରୋଲାଇଟ୍ ହଠାତ୍ ବଦଳିଯାଇ ହୃଦଘାତ, ଶ୍ୱାସକ୍ରିୟା ବିଫଳତା କିମ୍ବା ଜୀବନହାନି ହୋଇପାରେ। ସେଥିପାଇଁ ଦୀର୍ଘ ଉପବାସ ପରେ ଖାଦ୍ୟ ଆରମ୍ଭ କରିବା ସବୁବେଳେ ଡାକ୍ତରୀ ତତ୍ତ୍ୱାବଧାନରେ ହେବା ଉଚିତ୍।

ଡାକ୍ତରମାନଙ୍କ କହିବା ଅନୁଯାୟୀ, ମଣିଷ ଶରୀର କିଛିଦିନ ଖାଦ୍ୟ ବିନା ଖାପ ଖୁଆଇ ପାରେ ସତ, କିନ୍ତୁ ଦୁଇ ସପ୍ତାହ ପରେ ଜଟିଳତାର ଆଶଙ୍କା ଦ୍ରୁତ ବଢ଼ିଯାଏ। ସେଥିପାଇଁ ଏପରି ଦୀର୍ଘ ଉପବାସ କରୁଥିବା ବ୍ୟକ୍ତିଙ୍କୁ ସବୁବେଳେ ଚିକିତ୍ସକଙ୍କ କଡ଼ା ନଜରରେ ରଖିବା ଆବଶ୍ୟକ।

Leave A Reply

Your email address will not be published.