Latest Odisha News

BREAKING NEWS

ପ୍ରବଳ ବର୍ଷା ପାଇଁ ଆଜି ପୁରୀରେ ସ୍କୁଲ୍‌ ବନ୍ଦ

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ଏହି ଛୁଟି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ପ୍ରଯୁଜ୍ୟ ହେବ ବୋଲି କୁହାଯାଇଛି। ଶିଶୁ ବାଟିକାରୁ ଯୁକ୍ତ ଦୁଇ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପର୍ଯ୍ୟନ୍ତ ପାଠପଢ଼ା ଦିନକ ପାଇଁ ବନ୍ଦ ରହିବ।

ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ଲଗାତାର ବର୍ଷା ଯୋଗୁଁ ଜିଲ୍ଲା ପ୍ରଶାସନ ବୁଧବାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଛୁଟି ଘୋଷଣା କରିଛି।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଏବଂ ଜଳବନ୍ଦୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଫଳରେ ଆଗାମୀ ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାରେ ବ୍ୟାପକ ବର୍ଷା ହେବ ବୋଲି ମଙ୍ଗଳବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ। ଆଇଏମଡ଼ି ଅନୁଯାୟୀ, ୧୫ ଜୁଲାଇ, ୨୦୨୬ ସକାଳ ୫:୩୦ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ପାଣିପାଗ ବିଭାଗ ଆକଳନ ଅନୁସାରେ ଏହି ପାଗ ପ୍ରଣାଳୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବ। ଯାହା ପୂର୍ବ ଭାରତର ବହୁ ଅଂଶରେ ପାଣିପାଗ ପରିସ୍ଥିତିକୁ ଆହୁରି ପ୍ରଭାବିତ କରିବ।

 

Leave A Reply

Your email address will not be published.