Latest Odisha News

BREAKING NEWS

୨୦ ବର୍ଷ ପରେ ବଦଳିଲା ବେଙ୍ଗଲର ହାୱା: କୋଲକାତା ମାଟିରେ ପୁଣି ପାଦ ଥାପିବେ ‘ଲଜ୍ଜା’ର ଲେଖିକା ତସଲିମା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ କ୍ଷମତା ପରିବର୍ତ୍ତନ ହେବା ସହ ଏବେ ବେଙ୍ଗଲରେ ଅନେକ ପୁରୁଣା ବ୍ୟବସ୍ଥାର ଅନ୍ତ ଘଟୁଛି ଏବଂ ନୂଆ ଅଧ୍ୟାୟର ଆରମ୍ଭ ହେଉଛି। ପ୍ରାୟ ୨ ଦଶନ୍ଧିର ଲମ୍ବା ବ୍ୟବଧାନ ପରେ କୋଲକାତା ମାଟିକୁ ଫେରୁଛନ୍ତି ବାଂଲାଦେଶର ବହୁଚର୍ଚ୍ଚିତ ତଥା ବିବାଦୀୟ ଲେଖିକା ତସଲିମା ନସରିନ୍। ନିଜର ବେବାକ୍ ଏବଂ ନିର୍ଭୀକ ଲେଖା ପାଇଁ କୋଲକାତାରୁ ବିତାଡ଼ିତ ହୋଇଥିବା ତସଲିମା, ଆସନ୍ତା ଅଗଷ୍ଟ ୧ ତାରିଖରେ ଏଠାରେ ଏକ ବଡ଼ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ନୂଆ ସରକାରଙ୍କ ସୁରକ୍ଷା ପ୍ରତିଶ୍ରୁତି ପରେ ତାଙ୍କର ଏହି ଗସ୍ତ ସମ୍ଭବ ହୋଇପାରିଛି, ଯାହାକୁ ନେଇ ସାହିତ୍ୟ ଜଗତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

 

ଆସନ୍ତା ମାସ ପହିଲାରେ କୋଲକାତାର ପ୍ରସିଦ୍ଧ ରବୀନ୍ଦ୍ର ସଦନଠାରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ‘ସେକ୍ୟୁଲାର ମିଶନ’, ‘ପଶ୍ଚିମବଙ୍ଗେର ଜନ୍ୟ’ ଏବଂ ‘ହ୍ୟୁମାନ ରାଇଟ୍ସ ବିୟୋଣ୍ଡ ଫ୍ରଣ୍ଟିୟର୍ସ’ ନାମକ ତିନୋଟି ସଂଗଠନର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ବିଶିଷ୍ଟ ବଙ୍ଗଳା ଲେଖକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ସଂଗଠନ ‘ପଶ୍ଚିମବଙ୍ଗେର ଜନ୍ୟ’ର ପ୍ରତିନିଧି ମୋହିତ ରାୟଙ୍କ ସୂଚନା ଅନୁଯାୟୀ, ଏହି ମଞ୍ଚରେ ତସଲିମା ନିଜର ଅନୁଭୂତି ବାଣ୍ଟିବା ସହ କବିତା ଏବଂ ଗୀତ ପରିବେଷଣ କରିବେ।

 

କାହିଁକି କୋଲକାତା ଛାଡ଼ିଥିଲେ ତସଲିମା?

୨୦୦୭ ମସିହାରେ ତସଲିମାଙ୍କ ଆତ୍ମଜୀବନୀର ଦ୍ୱିତୀୟ ଭାଗ ତଥା ବହୁଚର୍ଚ୍ଚିତ ପୁସ୍ତକ ‘ଦ୍ୱିଖଣ୍ଡିତୋ’ (ସ୍ପ୍ଲିଟ୍: ଏ ଲାଇଫ୍) ପ୍ରକାଶ ପାଇବା ପରେ କୋଲକାତାରେ ତୀବ୍ର ବିରୋଧ ପ୍ରଦର୍ଶନ ହୋଇଥିଲା। ସେହି ସମୟରେ ରାଜ୍ୟରେ ଶାସନ କରୁଥିବା ବାମପନ୍ଥୀ ସରକାର ତାଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ। କୌଣସି ବିକଳ୍ପ ନପାଇ ତସଲିମାଙ୍କୁ ନିଜର ଆଶ୍ରୟସ୍ଥଳୀ ପାଲଟିଥିବା କୋଲକାତା ସହର ଛାଡ଼ିବାକୁ ପଡ଼ିଥିଲା।

 

ଏହି ପ୍ରସଙ୍ଗରେ ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ ପୂର୍ବତନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବାମପନ୍ଥୀ ସରକାର ମୁସଲମାନମାନଙ୍କ ନାମରେ କେବଳ ରାଜନୀତି କଲେ, କିନ୍ତୁ ଜଣେ ପ୍ରତିଭାବାନ ଲେଖିକାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ମମତା ବାନାର୍ଜୀଙ୍କ ସମୟର କଥା ତ ଛାଡ଼ିଦିଅନ୍ତୁ। ବର୍ତ୍ତମାନର ସରକାର ସମସ୍ତଙ୍କ ସୁରକ୍ଷା ଏବଂ ବିକାଶ ଉପରେ କାମ କରୁଛନ୍ତି। ତସଲିମା କୋଲକାତା ଆସୁଥିବା ଖବର ଅତ୍ୟନ୍ତ ଖୁସିର ବିଷୟ।”

 

୧୯୯୩ ମସିହାରେ ଅଯୋଧ୍ୟାରେ ବାବ୍ରି ମସଜିଦ୍ ଭଙ୍ଗାଯିବା ପରେ ବାଂଲାଦେଶରେ ଏକ କାଳ୍ପନିକ ହିନ୍ଦୁ ପରିବାର ଉପରେ ହୋଇଥିବା ଅତ୍ୟାଚାରକୁ ଆଧାର କରି ତସଲିମା ନିଜର ପ୍ରସିଦ୍ଧ ଉପନ୍ୟାସ ‘ଲଜ୍ଜା’ ରଚନା କରିଥିଲେ। ଏହି ବହିଟି ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ଆଣିଦେଇଥିଲେ ମଧ୍ୟ, କଠୋରପନ୍ଥୀଙ୍କ ଠାରୁ ତାଙ୍କୁ ଜୀବନରେ ମାରିଦେବାର ଧମକ ମିଳିଥିଲା। ଫଳସ୍ୱରୂପ, ୧୯୯୪ ମସିହାରେ ସେ ବାଂଲାଦେଶ ଛାଡ଼ି ୟୁରୋପରେ ଶରଣ ନେଇଥିଲେ ଏବଂ ପରେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରିଥିଲେ। ନାରୀ ଅଧିକାର, ଲିଙ୍ଗଗତ ସମାନତା ଏବଂ ପିତୃସତ୍ତାତ୍ମକ ମାନସିକତା ବିରୋଧରେ ଲେଖନୀ ଚାଳନା କରି ଆସୁଥିବା ତସଲିମା ଆଜି ସୁଦ୍ଧା ୪୦ରୁ ଅଧିକ ପୁସ୍ତକ ରଚନା କରିସାରିଛନ୍ତି।

 

ସଂଗଠନ ‘ସେକ୍ୟୁଲାର ମିଶନ’ର ଉସମାନ ମଲ୍ଲିକ (ଯିଏକି ପଶ୍ଚିମବଙ୍ଗର UCC ପ୍ୟାନେଲର ସଦସ୍ୟ) କହିଛନ୍ତି ଯେ, କୋଲକାତାକୁ ଦେଶର ସାଂସ୍କୃତିକ ରାଜଧାନୀ କୁହାଯାଏ। ଏଠାରୁ ଜଣେ ଲେଖିକାଙ୍କୁ ତଡ଼ିଦିଆଯିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପରେ ଲେଖିକା ବିନା କୌଣସି ଭୟରେ କୋଲକାତା ଆସିବାକୁ ରାଜି ହୋଇଛନ୍ତି। ୨୦୦୭ ପରେ ଏହା ହେଉଛି କୋଲକାତା ମାଟିରେ ତାଙ୍କର ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ, ଯେଉଁଠି ସେ ନିଜ ନିର୍ବାସନ ସମୟର ସଂଘର୍ଷ ବିଷୟରେ ଆଲୋକପାତ କରିବେ।

Leave A Reply

Your email address will not be published.