Latest Odisha News

BREAKING NEWS

ଗେଟମ୍ୟାନ୍‌ଙ୍କ ଗୋଟିଏ ଭୁଲ୍ ନେଲା ନିରୀହଙ୍କ ଜୀବନ! ମୁର୍ସିଦାବାଦରେ ଟ୍ରେନ୍-ପୁଲ୍ କାର୍ ଧକ୍କା, ୨ ଛାତ୍ରଙ୍କ ସମେତ ୩ ମୃତ

ମୁର୍ସିଦାବାଦ: ସକାଳୁ ସକାଳୁ ଖୁସିରେ ସ୍କୁଲ୍ ବାହାରିଥିଲେ କୁନି କୁନି ପିଲା। ହେଲେ କିଏ ଜାଣିଥିଲା ବାଟରେ ଜଗି ବସିଛି ମୃତ୍ୟୁ! ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ରେଳ ଫାଟକ ପାର୍ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ୍ ଭ୍ୟାନ୍ କୁ ଗୋଟିଏ ଚଳନ୍ତା ଟ୍ରେନ୍ ସଜୋରରେ ଧକ୍କା ଦେଇଛି। ଏହି ଭୟାବହ ଦୁର୍ଘଟଣାରେ ୨ ଜଣ ସ୍କୁଲ୍ ଛାତ୍ରଙ୍କ ସମେତ ମୋଟ ୩ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଅନେକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ରୂପେ ଦୁମୁଡ଼ିମୋଡ଼ି ହୋଇ ଚୁରମାର୍ ହୋଇଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ମୁର୍ସିଦାବାଦ ଜିଲ୍ଲାର କର୍ଣ୍ଣସୁବର୍ଣ୍ଣ ଏବଂ ଗୋବିନ୍ଦପୁର ରେଳ ଷ୍ଟେସନ୍ ମଧ୍ୟରେ ଥିବା ଏକ ଲେଭଲ୍ କ୍ରସିଂ ନିକଟରେ ଏହି ଅଘଟଣ ଘଟିଛି। ସକାଳୁ ପ୍ରାୟ ୮ ଜଣଙ୍କୁ ଧରି ପୁଲ୍ କାର୍‌ଟି ସ୍କୁଲ୍ ଅଭିମୁଖେ ଯାଉଥିଲା। ଲେଭଲ୍ କ୍ରସିଂ ପାର୍ ହେଉଥିବା ବେଳେ ହଠାତ୍ ସେହି ଟ୍ରାକ୍‌ରେ ନିମତିତା-କାଟୋଆ ଡାଉନ୍ ଲୋକାଲ୍ ଟ୍ରେନ୍ ଆସିଯାଇଥିଲା। କାର୍‌ଟି ଟ୍ରାକ୍‌ରୁ ବାହାରିବା ପୂର୍ବରୁ ହିଁ ଟ୍ରେନ୍‌ଟି ଏହାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହାହାକାର ଖେଳିଯାଇଥିଲା ଏବଂ ଆଖପାଖର ଲୋକେ ତୁରନ୍ତ ଟ୍ରାକ୍ ଆଡ଼କୁ ଦୌଡ଼ିଥିଲେ।

 

ତେବେ ଏହି ଦୁର୍ଘଟଣା ପଛରେ ରେଳ ବିଭାଗର ବଡ଼ ଧରଣର ଅବହେଳା ଥିବା ସାମ୍ନାକୁ ଆସିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସମୟରେ ଲେଭଲ୍ କ୍ରସିଂ ଗେଟ୍ ଖୋଲା ରହିଥିଲା। କିଛି ସମୟ ପୂର୍ବରୁ ଅପ୍‌ଲାଇନ୍‌ରେ ଗୋଟିଏ ଟ୍ରେନ୍ ଯିବା ପରେ ଗେଟ୍‌ ଖୋଲାଯାଇଥିଲା। ହେଲେ ଡାଉନ୍ ଲାଇନ୍‌ରେ ଆଉ ଏକ ଟ୍ରେନ୍ ଆସୁଥିଲେ ମଧ୍ୟ ଗେଟ୍‌ମ୍ୟାନ୍ ଗେଟ୍ ପକାଇନଥିଲେ କିମ୍ବା ସେଠାରେ ଉପସ୍ଥିତ ନଥିଲେ। ଖୋଲା ଫାଟକ ଦେଖି ସ୍କୁଲ୍ କାର୍‌ଟି ବିନା ଦ୍ୱିଧାରେ ଟ୍ରାକ୍ ଭିତରକୁ ପଶିଯାଇଥିଲା ଏବଂ ଠିକ୍ ସେହି ସମୟରେ ମୃତ୍ୟୁଦୂତ ସାଜି ଟ୍ରେନ୍ ଆସିଯାଇଥିଲା। ଗେଟ୍‌ମ୍ୟାନ୍‌ଙ୍କ ଏଭଳି ଚରମ ଖାମଖିଆଲି ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

 

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ପିଲାମାନଙ୍କୁ କାର୍ ଭିତରୁ ବାହାର କରି କର୍ଣ୍ଣସୁବର୍ଣ୍ଣ ବ୍ଲକ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ସଙ୍କଟାପନ୍ନ ଥିବା ଆହତମାନଙ୍କୁ ପରେ ମୁର୍ସିଦାବାଦ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବିପୁଳ ସଂଖ୍ୟାରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି।

 

ଅନ୍ୟପଟେ ପୂର୍ବ ରେଳବାଇ ପକ୍ଷରୁ ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ୍ ଆସିବା ବେଳେ ଗେଟ୍ କାହିଁକି ଖୋଲା ଥିଲା ଏବଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଭୂମିକା କ’ଣ ଥିଲା, ତାହାର ଖୋଳତାଡ଼ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଦୁର୍ଘଟଣାସ୍ଥଳକୁ ପଠାଯାଇଥିବା ରେଳ ବିଭାଗ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.