ପୁରୀ: ଦ୍ବିତୀୟ ଦିନରେ ଆରମ୍ଭ ହେଲା ରଥଟଣା । ଶରଧାବାଲି ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ମାଉସୀ ଘର ଅଭିମୁଖେ ଆଗେଇ ଚାଲିଛନ୍ତି ମହାପ୍ରଭୁ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହେଉଛି।
ଗତକାଲିର ଅବିରତ ବର୍ଷା ପରେ ଆଜି ପୁରୀରେ ପାଗ ସଫା ରହିଛି। ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତିଭାବରେ ରଥ ଟାଣୁଛନ୍ତି। ଅଟକି ଅଟକି ଚାଲୁଥିବା ନନ୍ଦିଘୋଷ ରଥ ଦେଖି ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ବିଶ୍ଵନିୟନ୍ତାଙ୍କ ମାନବୀୟ ଲୀଳା ଦେଖି ଶ୍ରଦ୍ଧାଳୁମାନେ କୃତାର୍ଥ ମଣୁଛନ୍ତି। ଗୁରୁବାର ଲଗାଣ ବର୍ଷାରେ ଚାଲିଥିଲା ଠାକୁରଙ୍କ ନୀତି ଓ ଅଗଣିତ ଭକ୍ତଙ୍କ ଗତି । ଅପରାହ୍ଣ ୨ଟା ସୁଦ୍ଧା ବଡ଼ଦାଣ୍ଡରେ ରଥାରୂଢ଼ ହୋଇଥିଲେ ଶ୍ରୀବିଗ୍ରହ । ଅସଂଖ୍ୟ ଭକ୍ତଙ୍କୁ ରଥରୁ ଦର୍ଶନ ଦେଲେ ଦାରୁବ୍ରହ୍ମ । ଲକ୍ଷ ଲକ୍ଷ ଭକ୍ତ ବର୍ଷାରେ ଭିଜିଥିଲେ । ପହଣ୍ଡି ସମୟରେ ଭାବଗ୍ରାହୀ ମଧ୍ୟ ଓଦା ହେଲେ । ବର୍ଷା ଓ ଭାବରେ ଭିଜିଲେ ଭକ୍ତ ଓ ଭଗବାନ । ମହାପ୍ରଭୁଙ୍କ ପହଣ୍ଡି ଶେଷ ବିଳମ୍ବ ପାଇଁ ରଥ ଟଣାରେ ବିଳମ୍ବ ଘଟିଲା । ସନ୍ଧ୍ୟା ହୋଇଥିଲେ ସୁଦ୍ଧା କେବଳ ବିଧିକୁ ନନ୍ଦିଘୋଷ ଚକେ ଦୁଇ ଚକ ଟଣା ହୋଇଥିଲା । ଦେବଦଳନ ରଥ ମରଚିକୋଟ ଓ ତାଳଧ୍ୱଜ ରଥ ମାର୍କେଟ ଛକ ପୂର୍ବରୁ ବଡ଼ଦାଣ୍ଡରେ ଅଟକିଥିଲା। ଆଜି ସକାଳ ସାଢ଼େ ୯ଟାରୁ ପୁଣି ଆରମ୍ଭ ହୋଇଛି ରଥଟଣା। ଏବେ ଶ୍ରୀଗୁଣ୍ଡିଚା ଅଭିମୁଖେ ଅଗ୍ରସର ହେଉଛନ୍ତି ଚତୁର୍ଧାମୂର୍ତ୍ତି। ଭକ୍ତି, ଉତ୍ସାହ ଓ ଅପୂର୍ବ ଆଧ୍ୟାତ୍ମିକ ପରିବେଶରେ ପୁଣି ଜୀବନ୍ତ ହୋଇଉଠିଛି ପୁରୀ ବଡ଼ଦାଣ୍ଡ।
ତେବେ ସୂଚନା ଅନୁଯାୟୀ, ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ବିଜେ କରିବେ ମହାପ୍ରଭୁ। ରଥଯାତ୍ରାର ସବୁଠୁ ପବିତ୍ର ଓ ଭାବପୂର୍ଣ୍ଣ ନୀତି ମଧ୍ୟରୁ ଏହା ଅନ୍ୟତମ। ରଥରୁ ପହଣ୍ଡି କରାଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଏହି ଆଡ଼ପ ମଣ୍ଡପକୁ ମହାପ୍ରଭୁଙ୍କ ଜନ୍ମବେଦୀ ବୋଲି କୁହାଯାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁଙ୍କ ଦର୍ଶନ କଲେ ଶହେ ଜନ୍ମର ପାପ କ୍ଷୟ ହୁଏ। ସେଥିପାଇଁ ଏହି ଦିନ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଛୁଟି ଆସିଥାନ୍ତି। ଆଡ଼ପ ମଣ୍ଡପରେ ବିଜେ ପରେ ମହାପ୍ରଭୁ ୯ ଦିନ ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ତେଣୁ ରଥଯାତ୍ରାର ଏହି ପବିତ୍ର ମୁହୂର୍ତ୍ତକୁ ନେଇ ଏବେ ଭକ୍ତଙ୍କ ମନରେ ଦେଖାଦେଇଛି ଅପାର ଉତ୍ସାହ ଓ ଭକ୍ତି।