Latest Odisha News

BREAKING NEWS

Tahia Broke During Pahandi: ବାହୁବଳୀ ସେବାୟତ ସମ୍ଭାଳି ପାରିଲେନି ଜଗାଭାର, ଢଳିଲା କାଳିଆ, ଭାଙ୍ଗିଲା ଟାହିଆ!

ପୁରୀ: ବିଶ୍ୱନିୟନ୍ତାଙ୍କ ଲୀଳାକୁ କିଏ ବା ବୁଝିପାରିବ! କେବେ ଭକ୍ତଙ୍କୁ ହସାନ୍ତି, ତ କେବେ ଆଖିରେ ଲୁହ ଭରି ଦିଅନ୍ତି। ଚଳିତ ବର୍ଷର ରଥଯାତ୍ରାରେ ମଧ୍ୟ ଏମିତି ଏକ ଘଟଣା ଘଟିଲା, ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ବ୍ୟଥିତ କରିଦେଇଛି । ପହଣ୍ଡି ବେଳେ ବିନା ଟାହିଆରେ ରଥାରୂଢ଼ ହୋଇଥିଲେ ଜଗତର ନାଥ ଜଗନ୍ନାଥ। ଯେଉଁ ଟାହିଆ ମହାପ୍ରଭୁଙ୍କ ପହଣ୍ଡିର ସବୁଠୁ ବଡ଼ ଆକର୍ଷଣ, ସେହି ଟାହିଆ ମହାପ୍ରଭୁଙ୍କ ମସ୍ତକରୁ ଅଦୃଶ୍ୟ ହେବା ଭକ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।

ପହଣ୍ଡି ସମୟରେ ଟାହିଆ ଦୋହଲାଇ ଦୋହଲାଇ ସେବାୟତଙ୍କ ପିଠିରେ ଝୁଲି ଝୁଲି ଆସନ୍ତି କାଳିଆ ସାଆନ୍ତ। ସେହି ଅପୂର୍ବ ମୟୂର ନୃତ୍ୟ ଦେଖି ଉଲ୍ଲାସରେ ଭରିଯାଏ ବଡ଼ଦାଣ୍ଡ। କୁହାଯାଏ, ଟାହିଆ ଆଗକୁ ଢଳିଲେ “ବ୍ରହ୍ମ ସତ୍ୟ” ଓ ପଛକୁ ଢଳିଲେ “ଜଗତ ମିଥ୍ୟା”ର ବାର୍ତ୍ତା ଦିଅନ୍ତି ମହାପ୍ରଭୁ। କିନ୍ତୁ ଏଥର ସେହି ଦୃଶ୍ୟ ଦେଖିବାକୁ ମିଳିନଥିଲା।

ହେଲେ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟିକରଣ ରଖିଥିବା ବେଳେ ବିଭିନ୍ନ ସେବାୟତଙ୍କ ଭିନ୍ନ ବୟାନ ଏବେ ସବୁ ଚିତ୍ର ସ୍ପଷ୍ଟ କରିଛି । ସେବାୟତଙ୍କ କହିବା ଅନୁସାରେ ଯାହା ସ୍ପଷ୍ଟ ହେଉଛି, ମହାପ୍ରଭୁ କାଳିଆ ସାଆନ୍ତ ରତ୍ନବେଦୀରୁ ଆସିବା ପରେ ଆନନ୍ଦ ବଜାର ଗୁମୁଟରୁ ଜମାବି ହୁ୍ଙ୍କିନଥିଲେ । ବାହୁବଳୀ ସେବାୟତମାନେ ସମସ୍ତ ଶକ୍ତି ଲଗାଇଥିଲେ, କିନ୍ତୁ ମହାପ୍ରଭୁଙ୍କୁ ଆଗକୁ ଆଣିପାରି ନଥିଲେ। ବାହୁବଳୀମାନଙ୍କ ପତିଆରା ଭାଙ୍ଗି ଚୁରମାର ହୋଇଯାଇଥିଲା । ୪୦ ମିନିଟ୍ ଧରି ମହାପ୍ରଭୁ ବାଇଶି ପାହାଚକୁ ସଂଯୋଗ କରୁଥିବା ଆନନ୍ଦ ବଜାର ଗୁମୁଟ ଭିତରେ ଅଟକି ଯାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ମହାପ୍ରଭୁଙ୍କୁ ପହଣ୍ଡି କରୁଥିବା ସେବାୟତମାନେ ମହାପ୍ରଭୁଙ୍କ ଭାର ବି ସହିପାରିନଥିଲେ । ମହାପ୍ରଭୁ ଆନନ୍ଦ ବଜାର ଗୁମୁଟ ଲୁହା ଗ୍ରୀଲ୍ ଉପରକୁ ଢଳି ପଡ଼ିଥିଲେ । ଗ୍ରୀଲ୍ ଉପରେ ମହାପ୍ରଭୁ ଢଳି ପଡ଼ିବାରୁ ତାଙ୍କ ମଥାରେ ଝଟକୁ ଥିବା ସୁଦୃଶ୍ୟ ଟାହିଆ ଗ୍ରୀଲ୍ ସହ ମାଡ଼ ହୋଇ କ୍ଷୁର୍ଣ୍ଣ ହୋଇଯାଇଥିଲା ।

ମହାପ୍ରଭୁଙ୍କୁ ରୁଷ୍ଟ ଦେଖି ପହଣ୍ଡି କରୁଥିବା ସେବାୟତମାନେ ତାଙ୍କ ଶରଣ ପଶିଥିଲେ । ସବୁ ଭୁଲ କ୍ଷମା କରି ମହାପ୍ରଭୁ ରଥାରୂଢ଼ ହୁଅନ୍ତୁ ବୋଲି ନିବେଦନ କରିଥିଲେ। ପରେ ଭାବବିନୋଦିଆ ସେବାୟତଙ୍କ ଆକୁଳତା ଦେଖି ନିଜ ରୋଷ ଭୁଲି ଆଗକୁ ବଢ଼ିଥିଲେ। ହେଲେ ଟାହିଆ ଭାଙ୍ଗିଯିବାରୁ, ସେବାୟତମାନେ ମହାପ୍ରଭୁଙ୍କୁ ଟାହିଆ ନଥିବା ଶୂନ୍ୟ ମସ୍ତକରେ ହିଁ ପହଣ୍ଡି କରାଇ ରଥାରୂଢ଼ କରାଇଥିଲେ। ତଥାପି ସେବାୟତମାନେ ମହାପ୍ରଭୁଙ୍କୁ ବାଇଶିପାହାଚ ଦେଇ ସିଂହଦ୍ୱାର ଗୁମୁଟରେ ପହଣ୍ଡି କରାଇ ପହଞ୍ଚିବା ବେଳକୁ ପ୍ରାୟ ଘଣ୍ଟାଏ ଲାଗିଥିଲା । ମହାପ୍ରଭୁ ବାରମ୍ବାର ବାମ ପାଶ୍ୱର୍କୁ ଢଳି ପଡ଼ିଥିଲେ । ସେହିପରି ରଥରେ ପହଞ୍ଚିବା ପରେ ମଧ୍ୟ ମହାପ୍ରଭୁଙ୍କୁ କୁଣ୍ଡାଇ ଦିଗ ବଦଳାଇବା ପାଇଁ ଅନେକ ସଂଘର୍ଷ କରିଥିଲେ ସେବାୟତ । ବହୁ ସଂଘର୍ଷ ପରେ ରୋଷ ଛାଡି ଶେଷରେ କ୍ତଙ୍କୁ ଚାହିଁ ରଥାରୁଢ ହୋଇଥିଲେ ମହାପ୍ରଭୁ ।

ତେବେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଥାଏ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ। ପ୍ରତ୍ୟେକ ବର୍ଷ ରାଘବଦାସ ମଠ ପକ୍ଷରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଟାହିଆ ପ୍ରଦାନ କରାଯାଇଥାଏ। ଗୁରୁବାର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ମସ୍ତକରେ ଟାହିଆ ନ ଥିବା ଦେଖିବାକୁ ମିଳିଥିଲା। ଯାହା ଭକ୍ତଙ୍କ ଗହଣରେ ଆଲୋଡନ ସୃଷ୍ଟି କରିଥିବୋ ବେଳେ, ଅନେକ ଏହାକୁ ମହାପ୍ରଭୁଙ୍କ ଅପୂର୍ବ ମାନବୀୟ ଲୀଳା ବୋଲି କହୁଥିବା ବେଳେ, ଆଉ କିଛି ଭକ୍ତଙ୍କ ମତରେ ନିଶ୍ଚୟ କେଉଁଠି ନା କେଉଁଠି ତ୍ରୁଟି ରହିଛି, ଯାହାକୁ ନେଇ ମହାପ୍ରଭୁ ରୋଷ ପ୍ରକାଶ କରିଥିଲେ ବୋଲି ଦାବି ହୋଇଛି ।

Leave A Reply

Your email address will not be published.