Skyroot’s Vikram-1: ସଫଳ ହେଲା ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍କ୍ଷେପଣ, ମହାକାଶକୁ ଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଲେଖା ଖାସ୍ ସନ୍ଦେଶ…
ଶ୍ରୀହରିକୋଟା: ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ଶନିବାର ଏକ ଐତିହାସିକ ଦିନ ପାଲଟିଛି। ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣ କରିଛି । ରକେଟ୍ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଛି।
ଏହି ସଫଳତା ସହ ଭାରତର ଘରୋଇ ମହାକାଶ ଶିଳ୍ପ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ବିଶେଷ କଥା ହେଉଛି, ଏହି ମାନବବିହୀନ ରକେଟ୍ ନିଜ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା ‘ବନ୍ଦେ ମାତରମ୍’ ବାର୍ତ୍ତାକୁ ମହାକାଶକୁ ନେଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟକାର୍ଡ ସହ ଏହି ମିଶନରେ ଦଳର ସଦସ୍ୟ, ନିବେଶକ, ନୀତି-ନିର୍ମାତା ଏବଂ ବିଶ୍ୱର ବିଭିନ୍ନ ଶୁଭେଚ୍ଛୁଙ୍କ ବାର୍ତ୍ତା ମଧ୍ୟ ସାମିଲ ହୋଇଛି। କମ୍ପାନି ଏହି ଅଭିଯାନକୁ ‘ମିଶନ ଆଗମନ’ ନାମ ଦେଇଛି।
ବିକ୍ରମ-୧ ଏକ ଅତ୍ୟାଧୁନିକ ଅର୍ବିଟାଲ୍ ଲଞ୍ଚ ଭେଇକଲ୍, ଯାହା ପ୍ରାୟ ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ କ୍ଷୁଦ୍ର ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ୨୦୨୨ରେ ସ୍କାଇରୁଟ୍ ‘ବିକ୍ରମ-ଏସ୍’ ନାମକ ସବ୍-ଅର୍ବିଟାଲ୍ ରକେଟ୍ର ସଫଳ ଉତ୍କ୍ଷେପଣ କରି ଭାରତର ପ୍ରଥମ ଘରୋଇ ମହାକାଶ କମ୍ପାନି ଭାବେ ଇତିହାସ ସୃଷ୍ଟି କରିଥିଲା। ସେହି ରକେଟ୍ ୮୮.୮ କିଲୋମିଟର ଉଚ୍ଚତା ଏବଂ ମ୍ୟାକ୍ ୫.୦୭ ବେଗ ହାସଲ କରିଥିଲା।
ସ୍କାଇରୁଟ୍ର ସହ-ପ୍ରତିଷ୍ଠାତା ଓ ଇସ୍ରୋର ପୂର୍ବତନ ବୈଜ୍ଞାନିକ ପବନ ଚନ୍ଦନା କହିଛନ୍ତି ଯେ, ଉତ୍କ୍ଷେପଣ ପୂର୍ବରୁ ସମସ୍ତ ଗ୍ରାଉଣ୍ଡ ଟେଷ୍ଟ ସଫଳ ଭାବେ ସମ୍ପନ୍ନ ହୋଇଥିଲା ଏବଂ ମିଶନ ପାଇଁ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା।
ମହାକାଶ କ୍ଷେତ୍ରର ବିଶେଷଜ୍ଞଙ୍କ ମତରେ, ବିକ୍ରମ-୧ର ସଫଳ ଉତ୍କ୍ଷେପଣ ଭାରତର ଦ୍ରୁତଗତିରେ ବିକଶିତ ହେଉଥିବା ଘରୋଇ ସ୍ପେସ୍ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ମାଇଲଖୁଣ୍ଟ। ଏହା ଆଗାମୀ ଦିନରେ ଭାରତର ମହାକାଶ ଅର୍ଥନୀତିକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।