କଟକ: ନାବାଳକକୁ ଉଲଗ୍ନ କରି ନିର୍ଘାତ ମାଡ଼ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଙ୍ଗାରୁ କୋର୍ଟ ଘଟଣାରେ ଚାଉଳିଆଗଞ୍ଜ ଥାନାରେ ପୀଡ଼ିତ ପରିବାର ପକ୍ଷରୁ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ପୋଲିସ ଜଣେ ଅଭିଯୁକ୍ତ ଗିରଫ କରିବା ସହ ଆଉ ୩ ଜଣ ଚିହ୍ନଟ କରିଛି। ଏବେ ବିଭିନ୍ନ ଭିଡିଓ ଫୁଟେଜ ଯାଞ୍ଚ କରୁଛି ପୋଲିସ। ଆଗକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ। ଏନେଇ କଟକ ଏସିପି ସୁଧାଂଶୁ ଜେନା ସୂଚନା ଦେଇଛନ୍ତି।
ଘଟଣାଟି ୩ ଦିନ ତଳର। ବ୍ୟାଟେରୀ ଚୋର ସନ୍ଦେହ କରି ଜଣେ ନାବାଳକଙ୍କୁ ଦିଆଯାଇଥିଲା ଅକଥନୀୟ ନିର୍ଯାତନା। କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ସର୍ବସାଧାରଣରେ ଉଲଗ୍ନ କରି ବିଧା ଗୋଇଠା ମରାଯାଇଥିଲା। ବାଉଁଶରେ ନିର୍ଘାତ ପିଟାଯାଇଥିଲା। କେବଳ ସେତିକି ନୁହେଁ, ନିର୍ଯାତନା ସମୟର ଭିଡିଓ ରେକର୍ଡ କରାଯାଇ ସୋସିଆଲ୍ ମିଡିଆରେ ବି ଛଡ଼ାଯାଇଛି। ଏହି ଲୋମଟାଙ୍କୁରା ଭିଡିଓ ଦେଖିବା ପରେ ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମାଡ଼ ଖାଇଥିବା ୧୭ ବର୍ଷର ଜଣେ ନାବାଳକଙ୍କ ମା’ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ପୋଲିସ ତୁରନ୍ତ ମାମଲା କରି ଜଣେ ଯୁକକଙ୍କୁ ଧରିଆଣି ଥାନାରେ ଅଟକ ରଖିଥିଲା। ତଦନ୍ତ ପରେ ଚାଉଳିଆଗଞ୍ଜ ମଠସାହିର ପ୍ରଣବ ସାହୁକୁ ଗିରଫ କରିଛି। ଅନ୍ୟ ୩ ଅଭିଯୁକ୍ତ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ମାଡ଼ମରା ଓ ଭିଡିଓ ରେକଡିଂ କରିବା ଘଟଣାରେ ସ୍ଥାନୀୟ ଜଣେ କର୍ପୋରେଟଙ୍କ ପୁତୁରାଙ୍କ ହାତ ଥିବା ଅଭିଯୋଗ ହୋଇଛି। ତେବେ ଆଇନକୁ ହାତକୁ ନେଇ ନିରୀହ ପିଲାଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିଥିବା ଯୁବକଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।