Latest Odisha News

BREAKING NEWS

ସ୍କୁଲ ପିଲାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟକୁ ସାରା ଦେଶରେ ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବିବାଦୀୟ ‘ଅପାର୍’ (APAAR) ଆଇଡିକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ୍ ରଖି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଡିଜିଟାଲ୍ ଆଇଡି ପାଇଁ ଅଭିଭାବକଙ୍କ ସମ୍ମତି ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ହେବା ଦରକାର ଏବଂ ସମ୍ମତି ପତ୍ରରେ ‘ନାସ୍ତି’ ବା ‘ଅପ୍ଟ-ଆଉଟ୍’ କରିବାର ବିକଳ୍ପ ରହିବା ବାଧ୍ୟତାମୂଳକ।

 

ଏହି ନିୟମକୁ ସମଗ୍ର ଦେଶରେ ସିବିଏସ୍ଇ ସ୍କୁଲଗୁଡ଼ିକରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ଆଭିମୁଖ୍ୟ ପରେ ଦେଶର ଲକ୍ଷ ଲକ୍ଷ ଅଭିଭାବକ ଏବେ ବଡ଼ ଆଶ୍ୱସ୍ତି ଲାଭ କରିଛନ୍ତି।

 

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ‘ୱାନ୍ ନେସନ୍, ୱାନ୍ ଷ୍ଟୁଡେଣ୍ଟ ଆଇଡି’ ଯୋଜନା ଅଧୀନରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ୧୨ ଅଙ୍କ ବିଶିଷ୍ଟ ଅପାର୍ ଆଇଡି (Automated Permanent Academic Account Registry) ତିଆରି କରାଯାଉଛି। ଏହା ଆଧାର କାର୍ଡ ସହ ସଂଯୁକ୍ତ ରହୁଥିବା ବେଳେ ଏଥିରେ ପିଲାଙ୍କ ସମସ୍ତ ଶୈକ୍ଷିକ ତଥ୍ୟ ଡିଜିଟାଲ୍ ଆକାରରେ ଗଚ୍ଛିତ ରଖିବାର ବ୍ୟବସ୍ଥା ରହିଛି। ତେବେ ସ୍କୁଲଗୁଡ଼ିକ ଏହାକୁ ବାଧ୍ୟତାମୂଳକ କରୁଥିବା ନେଇ ଗତବର୍ଷ ଡିସେମ୍ବରରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।

 

ହାଇକୋର୍ଟ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ ଯେ ସମ୍ମତି ପତ୍ରରେ ପିତାମାତାଙ୍କୁ ‘ମନା କରିବାର ଅଧିକାର’ ମିଳିବା ନିହାତି ଆବଶ୍ୟକ। କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରିନଥିବାରୁ, ଏବେ ସୁପ୍ରିମକୋର୍ଟ ଏହାକୁ ପ୍ୟାନ୍-ଇଣ୍ଡିଆ ସ୍ତରରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

ଆବେଦନକାରୀଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ସର୍ବୋଚ୍ଚ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, କାଗଜପତ୍ରରେ ଏହି ଯୋଜନାକୁ ସ୍ୱେଚ୍ଛାକୃତ କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏହାକୁ ବାଧ୍ୟତାମୂଳକ କରାଯାଉଛି। ଅପାର୍ ଆଇଡି ନଥିଲେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାରୁ ପିଲାଙ୍କୁ ବଞ୍ଚିତ କରାଯିବାର ଭୟ ଦେଖାଇ ଅଭିଭାବକଙ୍କଠାରୁ ବାଧ୍ୟତାମୂଳକ ଭାବେ ସମ୍ମତି ଆଦାୟ କରାଯାଉଛି। ଆଧାର ଲିଙ୍କ୍ କରାଯାଉଥିବାରୁ ଏହା ପିଲାଙ୍କ ଡାଟା ସୁରକ୍ଷା ଓ ଗୋପନୀୟତା ଅଧିକାରର ସିଧାସଳଖ ଉଲ୍ଲଂଘନ କରୁଛି ବୋଲି ସେ ଦର୍ଶାଇଥିଲେ।

 

ଏହି ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସିବିଏସ୍ଇର କୌଣସି ବି ସର୍କୁଲାର୍ ନୂଆ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ଆକ୍ଟ, ୨୦୨୩ ଠାରୁ ବଡ଼ ନୁହେଁ। ତେଣୁ ସ୍କୁଲଗୁଡ଼ିକ ଅଭିଭାବକମାନଙ୍କ ଉପରେ କୌଣସି ପ୍ରକାର ଲୁଚାଚୋରା ଚାପ ପକାଇପାରିବେ ନାହିଁ। ସମ୍ମତି ପତ୍ରରେ ‘ନା’ କରିବାର ସ୍ପଷ୍ଟ ବିକଳ୍ପ ରହିବା ସହ ଅଭିଭାବକମାନେ ଚାହିଁଲେ ପରବର୍ତ୍ତୀ ସମୟରେ ନିଜ ସମ୍ମତି ପ୍ରତ୍ୟାହାର ମଧ୍ୟ କରିପାରିବେ ବୋଲି ଅଦାଲତ ସତର୍କ କରାଇ ଦେଇଛନ୍ତି।

Leave A Reply

Your email address will not be published.