Latest Odisha News

BREAKING NEWS

ମଣିପୁରରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ୪୬ ଉଗ୍ରବାଦୀ

ଇମ୍ଫାଲ୍: ମଣିପୁରରେ ଆତ୍ମସମର୍ପଣ କରିଛନ୍ତି ୪୬ ଜଣ ଉଗ୍ରବାଦୀ । ଇମ୍ଫାଲର ମନ୍ତ୍ରୀ ପୁଖରୀସ୍ଥିତ ଆସାମ ରାଇଫଲ୍ସ ମୁଖ୍ୟାଳୟରେ ମଣିପୁର ଗୃହ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର “ହୋମକମିଂ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତ ଉଗ୍ରବାଦୀ ମୁଖ୍ୟମନ୍ତ୍ରୀ ଯୁମ୍ନାମ ଖେମଚାନ୍ଦ ସିଂହଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ ।

ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନେ ବିପୁଳ ପରିମାଣର ଜୀବନ୍ତ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି । ଯେଉଁଥିରେ ରହିଛି ୩ଟି ଏକେ-ସିରିଜ୍ ରାଇଫଲ, ୪ଟି ଏକେ-୫୬, ଗୋଟିଏ ଇନ୍ସାସ୍ ଏକ୍ସ-କାଲିବର, ଗୋଟିଏ ଏସଏଲଆର, ଗୋଟିଏ ୯ ମିମି କାର୍ବାଇନ, ୩ଟି ୩୦୩ ରାଇଫଲ, ୨ଟି ଡବଲ ବାରେଲ ଏବଂ ୯ଟି ସିଙ୍ଗଲ ବାରେଲ ବନ୍ଧୁକ ।

ଏହା ସହ ଗୋଟିଏ ଆରପିଜି ଲଞ୍ଚର, ୨ଟି ୯ ମିମି ପିସ୍ତଲ, ୧ଟି ୭.୬୫ ମିମି ପିସ୍ତଲ । ୧୬ଟି ମ୍ୟାଗଜିନ୍, ୯ଟି ଆରପିଜି ଶେଲ୍, ୨୩ଟି ହ୍ୟାଣ୍ଡ ଗ୍ରେନେଡ୍, ୪୦ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୬ଟି ନମ୍ବର-୨୭ ଡେଟୋନେଟର, ୩୦୦ଟି ବ୍ଲାଷ୍ଟିଂ କ୍ୟାପ୍, ପ୍ରାୟ ୧୫ କିଲୋଗ୍ରାମ ଓଜନର ୭ଟି ଦେଶୀ ଆଇଇଡି ବୋମା, ୭ଟି କମ୍ୟୁନିକେସନ୍ ଡିଭାଇସ୍ ଏବଂ ୩୪୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ।

ତେବେ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ସ୍ଵତନ୍ତ୍ର ଥଇଥାନ ଯୋଜନା ଘୋଷଣା କରିଛନ୍ତି । ପ୍ରତ୍ୟେକ ଆତ୍ମସମର୍ପଣକାରୀ କ୍ୟାଡରଙ୍କୁ ଏକାକାଳୀନ ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦିଆଯିବ । ଏହି ଅର୍ଥ ୩ ବର୍ଷ ପାଇଁ ଫିକ୍ସଡ୍ ଡିପୋଜିଟ୍ ଆକାରରେ ରହିବ । ସେମାନଙ୍କୁ ପ୍ରତି ମାସରେ ୬ ହଜାର ଟଙ୍କା ଲେଖାଏଁ ମାସିକ ଭତ୍ତା ଯୋଗାଇ ଦିଆଯିବ । ସମସ୍ତ କ୍ୟାଡର ୩ ବର୍ଷ ପର୍ଯ୍ୟନ୍ତ ଥଇଥାନ କ୍ୟାମ୍ପରେ ରହିବେ ଏବଂ ସେଠାରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଧନ୍ଦାମୂଳକ ଓ ରୋଜଗାରକ୍ଷମ ତାଲିମ ପ୍ରଦାନ କରାଯିବ ।

Leave A Reply

Your email address will not be published.