Latest Odisha News

BREAKING NEWS

ପେପର ଲିକ୍ ବିବାଦ: ଫାଷ୍ଟ ଟ୍ରାକ୍ କୋର୍ଟ ଘୋଷଣା ପରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ପେପର ଲିକ୍ ପ୍ରସଙ୍ଗରେ ରାଜନୀତି ଏବେ ଜୋର ଧରିଛି। ପେପର ଲିକ୍ ମାମଲାର ବିଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ନେଇ ଘୋଷଣା କରିଥିଲେ। ତେବେ ଏହି ଘୋଷଣା ପରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦେଶର ଯୁବବର୍ଗଙ୍କ ଭବିଷ୍ୟତ ଏବଂ ଶିକ୍ଷା ବ୍ୟବସ୍ଥାକୁ ସରକାର ହିଁ ବରବାଦ୍ କରିଛନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି।

 

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, “ଦେଶର ଯୁବକମାନଙ୍କ ଭବିଷ୍ୟତର ସବୁଠାରୁ ଅଧିକ କ୍ଷତି ଆପଣ ହିଁ କରିଛନ୍ତି। ଆପଣ କେବଳ ଆମ ଶିକ୍ଷା ବ୍ୟବସ୍ଥାକୁ ଦଖଲ ଏବଂ ନଷ୍ଟ କରିବାକୁ ଅନୁମତି ଦେଇନାହାଁନ୍ତି, ବରଂ ଏହାକୁ ପ୍ରୋତ୍ସାହିତ କରିଛନ୍ତି। ଏଥିପାଇଁ ଦାୟୀ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆପଣ ସୁରକ୍ଷା ମଧ୍ୟ ପ୍ରଦାନ କରିଛନ୍ତି।”

 

ଏହା ସହିତ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରାହୁଲ ଗାନ୍ଧୀ ମୁଖ୍ୟତଃ ତିନୋଟି ସ୍ପଷ୍ଟ ଦାବି ଉପସ୍ଥାପନ କରିଛନ୍ତି: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ପଦରୁ ବହିଷ୍କାର କରାଯାଉ।

ଛାତ୍ରଛାତ୍ରୀମାନଙ୍କୁ ସରକାର କ୍ଷମା ମାଗନ୍ତୁ। ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ହିଂସା ଆଚରଣ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

 

ସୂଚନାଯୋଗ୍ୟ ଯେ, ଗୁରୁବାର ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ପେପର ଲିକ୍ ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ ବୋଲି ସେ କହିଥିଲେ। ଯୁବକମାନଙ୍କ ଭବିଷ୍ୟତ ସହ ଖେଳୁଥିବା କୌଣସି ବି ଦୋଷୀଙ୍କୁ ଛଡ଼ାଯିବ ନାହିଁ ଏବଂ ସମସ୍ତଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ସାଧାରଣ ବା ଶାନ୍ତିପୂର୍ଣ୍ଣ ଘୋଷଣାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ କାରଣ ବିଜେପି ଶାସନରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। “ନିଜ ଘରୁ ବାହାରକୁ ଆସନ୍ତୁ ଏବଂ ଆପଣଙ୍କ ଏକଛତ୍ରବାଦ ବିରୋଧରେ ରାସ୍ତାରେ ରକ୍ତ ବୋହାଉଥିବା ସେହି ଯୁବକ ଏବଂ ମହିଳାମାନଙ୍କ ଆଖିରେ ଆଖି ମିଶାଇ ଦେଖନ୍ତୁ,” ବୋଲି ଖଡ଼ଗେ ଆହ୍ୱାନ ଦେଇଛନ୍ତି।

 

ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ମାସ ଧରି ପେପର ଲିକ୍ ପ୍ରସଙ୍ଗକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ବିଶାଳ ଛାତ୍ର ବିକ୍ଷୋଭ ଜାରି ରହିଛି। ଅନ୍ୟପକ୍ଷରେ, ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଗତ ତିନି ଦିନ ଧରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଅଡ଼ି ବସିଛନ୍ତି, ଯାହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

Leave A Reply

Your email address will not be published.