ମୋହନା: ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ଅନେକ ସମୟରେ ଅନେକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଗରିବ ରୋଗୀଙ୍କୁ ମାଗଣା ଔଷଧ ମିଳୁନଥିବା ବେଳେ ଅଳିଆ ଗଦା କିମ୍ବା ରାସ୍ତା କଡ଼ରେ ପୁଳା ପୁଳା ସରକାରୀ ଓ ନିରାମୟ ଯୋଜନା ଔଷଧ ଫିଙ୍ଗାଯିବା ଦେଖିବାକୁ ମିଳୁଛି। ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏଭଳି ଏକ ଉଦାହରଣ ସାମ୍ନାକୁ ଆସିଛି। ମେଡିକାଲ ପରିସରରେ ଥିବା ଔଷଧ ଗୋଦାମ ନିକଟରେ ଅଳିଆ ଗଦାରେ କୁଢ଼ କୁଢ଼ ଔଷଧ ଖୋଲା ଆକାଶ ତଳେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି।
ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଫିଙ୍ଗାଯାଇଥିବା ଏହି ଔଷଧଗୁଡ଼ିକ ଏକ୍ସପାୟାରୀ ଅର୍ଥାତ୍ ଅବଧି ଶେଷ ହୋଇନାହିଁ। କେତେକ ଔଷଧର ଅବଧି ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିଥିବା ବେଳେ, ଅନ୍ୟ କେତେକ ଔଷଧର ବୈଧତା ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଛି। ରୋଗୀଙ୍କୁ ବଣ୍ଟାଯିବା ପାଇଁ ଉଦ୍ଦିଷ୍ଟ ଏହି ମୂଲ୍ୟବାନ ଔଷଧଗୁଡ଼ିକୁ କାମରେ ନଲଗାଇ ଏପରି ନଷ୍ଟ କରାଯିବା ନେଇ ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି। ଏତେ ପରିମାଣର ଔଷଧ ଗୋଦାମ ବାହାରେ କିଏ ଏବଂ କାହିଁକି ପକାଇଲା, ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ଗରୀବ ରୋଗୀମାନେ ମେଡିକାଲକୁ ଆସି ଔଷଧ ନପାଇ ନିରାଶ ହୋଇ ଫେରୁଛନ୍ତି, ଅନ୍ୟପଟେ ଭଲ ଔଷଧକୁ ଏଭଳି ରାସ୍ତାକଡ଼ରେ ଫିଙ୍ଗି ଦିଆଯାଉଛି । ଏହା ସ୍ୱାସ୍ଥ୍ୟ ବିଭାଗର ବଡ଼ ଅବହେଳା ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ଏକ୍ସପାୟାରୀ ହୋଇଯାଇଥିବା ଔଷଧଗୁଡ଼ିକୁ ସଠିକ୍ ଭାବେ ନଷ୍ଟ ନକରି ଏଭଳି ଖୋଲା ସ୍ଥାନରେ ଫିଙ୍ଗାଯାଉଛି, ଯାହା ପରିବେଶ ଏବଂ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।