Latest Odisha News

BREAKING NEWS

CJP Demand: ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ? କାଲି ସୁଦ୍ଧା ସମୟ ମାଗିଲେ ସରକାର…ବୖେଠକରୁ ବାହାରି CJPର ଦାବି…

ନୂଆଦିଲ୍ଲୀ: ନିଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ କକ୍ରୋଚ୍ ଜନତା ପାର୍ଟି (CJP) ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଚସ୍ତରୀୟ ବୈଠକ ହୋଇଛି। ବୈଠକ ପରେ CJP ଦାବି କରିଛି ଯେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଉପରେ ସରକାର ଶନିବାର ଅପରାହ୍ନ ପର୍ଯ୍ୟନ୍ତ ସମୟ ମାଗିଛନ୍ତି।

CJP ପକ୍ଷରୁ ପ୍ରବକ୍ତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ। ବୈଠକ ପରେ ଆଶୁତୋଷ ରାଙ୍କା କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିବ କିମ୍ବା ତାଙ୍କୁ ବରଖାସ୍ତ କରାଯିବା ଉଚିତ। ଏହି ପ୍ରସଙ୍ଗରେ ସରକାର ବିସ୍ତୃତ ଆଲୋଚନା କରିଛନ୍ତି ଏବଂ କାଲି ଅପରାହ୍ନ ପର୍ଯ୍ୟନ୍ତ ସମୟ ମାଗିଛନ୍ତି।” ସେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଶିକ୍ଷାମନ୍ତ୍ରୀଙ୍କୁ ହଟାଇବାରେ ବିଳମ୍ବ ହୁଏ, ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ।

CJP ଦାବି କରିଛି ଯେ ସରକାର ସେମାନଙ୍କର ଦୁଇଟି ଦାବିକୁ “ନୀତିଗତ ଭାବେ (In-Principle)” ଗ୍ରହଣ କରିଛନ୍ତି।

ସେହି ଦୁଇଟି ଦାବି ହେଲା, ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ କରିବା। ରାଙ୍କା କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁବଶୀଘ୍ର ପଦରୁ ହଟାଯିବ ବୋଲି ସେମାନେ ଆଶା କରୁଛନ୍ତି। ଏହାସହ ଜୁଲାଇ ୨୫ରେ ସରକାରଙ୍କ ସହ ଆଉ ଏକ ବୈଠକ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ଦୁଇ ଘଣ୍ଟାର ବୈଠକରେ CJPର ୩ଟି ପ୍ରମୁଖ ଦାବି ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସେ କହିଛନ୍ତି, “ଆମେ କାଲି ପୁଣି ସେମାନଙ୍କ ସହ ଭେଟିବୁ ଏବଂ ସରକାରୀ ସ୍ତରରେ ହୋଇଥିବା ଆଲୋଚନାର ନିଷ୍ପତ୍ତି ସେମାନଙ୍କୁ ଜଣାଇବୁ।”

ଏପଟେ ୨୬ ଦିନର ଅନଶନ ଶେଷ କରିଥିବା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଥିଲେ। ୱାଙ୍ଗଚୁକ କହିଛନ୍ତି, ସରକାର ଲିଖିତ ଭାବେ ତାଙ୍କୁ ଆଶ୍ୱାସନ ଦେଇଛନ୍ତି ଯେ, ନିଟ୍ ପେପର ଲିକ୍‌ ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ। ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ଛାତ୍ରଛାତ୍ରୀ ଏବଂ ଜୁଲାଇ ୨୦ର ‘ସଂସଦ ଚଲୋ’ ମାର୍ଚ୍ଚରେ ଭାଗ ନେଇଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ ନ କରିବାକୁ ସରକାର ସକାରାତ୍ମକ ରହିଛନ୍ତି।

ଏହା ମଧ୍ୟରେ CJPର ପ୍ରତିଷ୍ଠାତା ଅଭିଜିତ ଦିପକେ ଅଭିଯୋଗ କରିଛନ୍ତି ଯେ, ଆଜି ରାତିରେ ସରକାର ଆନ୍ଦୋଳନକାରୀଙ୍କୁ ଅଟକ କିମ୍ବା ଗିରଫ କରିବାକୁ ଯୋଜନା କରୁଛନ୍ତି। ସେ କହିଛନ୍ତି, ଶନିବାର ଓ ରବିବାରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆନ୍ଦୋଳନରେ ଯୋଗ ଦେବାର ସମ୍ଭାବନା ଥିବାରୁ ସରକାର ପୂର୍ବରୁ କଠୋର ପଦକ୍ଷେପ ନେବାକୁ ଚାହୁଁଛନ୍ତି। ତେବେ ଗିରଫ କିମ୍ବା ଦମନମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାରି ଭିତରେ କେନ୍ଦ୍ର ସରକାର ପୂର୍ବରୁ ପେପର ଲିକ୍ ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ସମେତ ଅନେକ ପଦକ୍ଷେପ ଘୋଷଣା କରିସାରିଛନ୍ତି। ସୋନମ ୱାଙ୍ଗଚୁକ ଅନଶନ ଶେଷ କରିଥିଲେ ମଧ୍ୟ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ହେଉଛି CJPର ‘ଅଣ-ବୁଝାମଣାଯୋଗ୍ୟ (Non-Negotiable)’ ଦାବି ବୋଲି ଦଳ ସ୍ପଷ୍ଟ କରିଛି।

Leave A Reply

Your email address will not be published.