Latest Odisha News

BREAKING NEWS

Asian Games 2026: ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ହକି ଦଳ ଘୋଷଣା:ଟିମରେ ଓଡ଼ିଆ ପୁଅ ଅମିତ ଓ ଶିଳାନନ୍ଦ

ନୂଆଦିଲ୍ଲୀ:ହକି ଇଣ୍ଡିଆ ବୁଧବାର ଦିନ ଆଗାମୀ ୨୦ତମ ଏସିଆନ ଗେମ୍ (20th Asian Games)ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି । ଏହି ଦଳରେ ଓଡ଼ିଶାର ୨ ଜଣ ଖେଳାଳି ଅଭିଜ୍ଞ ଡିଫେଣ୍ଡର ଅମିତ ରୋହିଦାସ ଓ ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ରହିଛନ୍ତି। ଏହି ଏସୀୟ କ୍ରୀଡ଼ା ୨୦୨୬ ମସିହା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟା (Aichi-Nagoya, Japan)ଠାରେ ଅନୁଷ୍ଠିତ ହେବ।

ଷ୍ଟାର୍ ଡିଫେଣ୍ଡର ତଥା ଡ୍ରାଗ୍-ଫ୍ଲିକର୍ ହରମନପ୍ରୀତ ସିଂହ(drag-flicker Harmanpreet Singh) ଦଳର ନେତୃତ୍ୱ ନେବେ । ଅନ୍ୟପକ୍ଷରେ ଭାରତ ପାଇଁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଅଭିଜ୍ଞ ମିଡ୍‌ଫିଲ୍ଡର୍ ମନପ୍ରୀତ ସିଂହ ଏହି ଦଳକୁ ନିଜର ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ କରିବେ ।

ବିଜେତା ଭାରତ ସେପ୍ଟେମ୍ବର ୨୦ ତାରିଖରେ ଇଣ୍ଡୋନେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହା ପରେ ଶ୍ରୀଲଙ୍କା (ସେପ୍ଟେମ୍ବର ୨୨), କୋରିଆ (ସେପ୍ଟେମ୍ବର ୨୪), ଜାପାନ (ସେପ୍ଟେମ୍ବର ୨୬) ଓ ବାଂଲାଦେଶ (ସେପ୍ଟେମ୍ବର ୨୮) ବିପକ୍ଷରେ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ୧୨ ଦଳୀୟ ଏହି ପ୍ରତିଯୋଗିତାର ୨ ପୁଲ୍‌ରୁ ୨ ଲେଖାଏଁ ଶ୍ରେଷ୍ଠ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ। ସେମିଫାଇନାଲ୍‌ ଦ୍ବୟ ଅକ୍ଟୋବର ୧ରେ ଖେଳାଯିବ। ଏହାପରେ କାଂସ୍ୟ ଓ ସ୍ବର୍ଣ୍ଣ ପଦକ ମୁକାବିଲା ଅକ୍ଟୋବର ୨ ତାରିଖରେ ଖେଳାଯିବ।

୨୦୨୩ ମସିହାରେ ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ହରମନପ୍ରୀତଙ୍କ ନେତୃତ୍ୱରେ ସ୍ୱର୍ଣ୍ଣ ପଦକ ଜିତି ‘ଡିଫେଣ୍ଡିଂ ଚାମ୍ପିଅନ୍’ (ଗତ ଥରର ବିଜେତା) ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ।

ଦଳ ଚୟନ ସମ୍ପର୍କରେ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲ୍ଟନ୍ (Craig Fulton) କହିଛନ୍ତି, “ଏସୀୟ କ୍ରୀଡ଼ା ପାଇଁ ଚୟନ କରାଯାଇଥିବା ଭାରତୀୟ ଦଳ ଅତ୍ୟନ୍ତ ଅଭିଜ୍ଞ। ଆମେ ଜାପାନରେ ଖେଳିବାର ଆହ୍ୱାନକୁ ଅପେକ୍ଷା କରି ରହିଛୁ, ଯେଉଁଠାରେ ବିଜେତା ଦଳ LA 2028 ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ; ଏବଂ ଏକ ଦଳ ତଥା ରାଷ୍ଟ୍ର ଭାବରେ ଏହା ହିଁ ଆମର ଚୂଡ଼ାନ୍ତ ଲକ୍ଷ୍ୟ।”

ଭାରତୀୟ ଦଳ:- ଗୋଲକିପର: ମୋହିତ ଏଚ୍, ସୁରଜ କରକେରା

ଡିଫେଣ୍ଡର: ଜରମନପ୍ରୀତ ସିଂ, ହରମାନପ୍ରୀତ ସିଂ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂ, ସଞ୍ଜୟ, ସୁମିତ, ଯଶଦୀପ ସିୱାଚ୍

ମିଡଫିଲ୍ଡର: ରାଜିନ୍ଦର ସିଂ, ରାଜ କୁମାର ପାଲ, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ନୀଲକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ

ଫରଓ୍ବାର୍ଡ: ଦିଲପ୍ରୀତ ସିଂ, ଶିଲାନନ୍ଦ ଲାକ୍ରା, ସୁଖଜିତ ସିଂ, ମନଦୀପ ସିଂ, ଅଭିଷେକ।

 

Leave A Reply

Your email address will not be published.