ପୁରୀ: ଡେଲାଙ୍ଗ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ମିଳିବା ଘଟଣା। ଏହାକୁ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ବିଇଓଙ୍କୁ ରିପୋର୍ଟ ମାଗିଲେ ଜିଲ୍ଲା ଶିକ୍ଷାଅଧିକାରୀ । ଏହାପରେ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଚିନ୍ତା ପ୍ରକାଶ କରିଥିବା ଚିଠିରେ ଦର୍ଶାଯାଇଛି। ୩୩ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାର ତଦନ୍ତ କରି ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୪ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ତେବେ ବିଇଓ ଏସଂପର୍କିତ କୌଣସି ରିପୋର୍ଟ ଏଯାଏଁ ଦାଖଲ କରିନଥିବା ସୂଚନା ମିଳିଛି । ସୂଚନା ଥାଉକି, ପୁରୀ ଡେଲାଙ୍ଗ ବ୍ଲକ୍ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ପୂର୍ବେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଡାକି ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।
ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବାବେଳେ ୬ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ଡେଲାଙ୍ଗ ହସ୍ପିଟାଲରେ ଅଭିଭାବକମାନଙ୍କ ଭିଡ଼ ଜମିଥିଲା। ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତିରେ ଅବହେଳା ଓ ଅସାବଧାନତା ଅଭିଯୋଗ କରି ଶିକ୍ଷକ ଓ ପାଚିକାଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ।