ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିନିୟର ବ୍ୟାଟର ଅଜିଙ୍କ୍ୟ ରାହାଣେ ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷୀୟ ରାହାଣେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପୂର୍ଣ୍ଣ ଭିଡିଓ ସେୟାର କରି ନିଜର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କ୍ରିକେଟ ପଡ଼ିଆରୁ ଆଗକୁ ବଢ଼ିବା ପାଇଁ ଏହା ହିଁ ସଠିକ୍ ସମୟ । ଭାରତ ପାଇଁ ୮୫ଟି ଟେଷ୍ଟ, ୯୦ଟି ଦିନିକିଆ ଏବଂ ୨୦ଟି ଟି୨୦ ମ୍ୟାଚ ଖେଳିଥିବା ରାହାଣେଙ୍କ କ୍ୟାରିୟର ବେଶ୍ ଆକର୍ଷଣୀୟ ରହିଥିଲା । ତାଙ୍କ ନେତୃତ୍ୱ ଦକ୍ଷତା ସମସ୍ତଙ୍କୁ ଚକିତ କରିଥିଲା । ଆଡିଲେଡ୍ ଟେଷ୍ଟରେ ଭାରତ ମାତ୍ର ୩୬ ରନ୍ରେ ଅଲଆଉଟ୍ ହେବା ଏବଂ ବିରାଟ କୋହଲି ସ୍ୱଦେଶ ଫେରିଥିଲେ । ରାହାଣେ ଦଳର ନେତୃତ୍ୱ ଭାର ସମ୍ଭାଳିଥିଲେ ।
ମେଲବୋର୍ଣ୍ଣ ଟେଷ୍ଟରେ ସେ ଶତକ ହାସଲ କରି ଭାରତକୁ ଜିତାଇବା ସହ ସିରିଜ୍କୁ ୧-୧ରେ ବରାବର କରିଥିଲେ । ରାହାଣେଙ୍କ ନେତୃତ୍ୱରେ ଭାରତୀୟ ଦଳ ଗାବାରେ ଅଷ୍ଟ୍ରେଲିଆର ୩୨ ବର୍ଷର ଅଜେୟ ରେକର୍ଡ ଭାଙ୍ଗି ୨-୧ରେ ସିରିଜ୍ କବଜା କରି ଇତିହାସ ରଚିଥିଲା । ରାହାଣେ ୨୦୧୧ ମସିହାରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ତିନୋଟିଯାକ ଫର୍ମାଟ୍ରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି । ୬ଟି ଟେଷ୍ଟରେ ମ୍ୟାଚ୍ରୁ ୪ଟିରେ ବିଜୟ, ଦିନିକିଆ ୩ଟି ମ୍ୟାଚ୍ରୁ ୩ଟି ଯାକରେ ବିଜୟ, ୨ଟି ଟି୨୦ମ୍ୟାଚ୍ରୁ ୧ଟିରେ ବିଜୟ ଏବଂ ୧ଟିରେ ପରାଜୟ । ଗତବର୍ଷ ରାହାଣେ କୋଲକାତା ନାଇଟ୍ ରାଇଡର୍ସ ଦଳର ନେତୃତ୍ୱ ନେଇଥିଲେ । କ୍ୟାରିୟରରେ ସେ ମୋଟ ୨୧୨ଟି ମ୍ୟାଚ୍ ଖେଳି ୩୦.୧୫ ହାରରେ ୫,୩୬୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ସାମିଲ ଅଛି।