ଭୁବନେଶ୍ୱର: ରାଜ୍ୟରେ ଗତକିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ। କାଁ ଭାଁ ବର୍ଷା ହୋଇପାରେ। ଗତ କିଛି ଦିନ ଧରି ହୋଇଥିବା ପ୍ରବଳ ବର୍ଷା କିଛି ସମୟ ପାଇଁ କମିଥିଲେ ମଧ୍ୟ ପୁଣିଥରେ ବର୍ଷା ବଢ଼ିବାର ସମ୍ଭାବନା ଦେଖାଦେଇଛି। ଅଗଷ୍ଟ ୨ ତାରିଖବେଳକୁ ବର୍ଷା ପରିମାଣ ସାମାନ୍ୟ ବୃଦ୍ଧି ପାଇବ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।
ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ତେବେ ଅଗଷ୍ଟ ୧ ଓ ୨ ତାରିଖ ମଧ୍ୟରେ ଅନେକ ଜିଲ୍ଲାରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ଅଗଷ୍ଟ ୬ରୁ ୧୨ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବା ସମ୍ଭାବନା ଅଛି। ଏହା ପ୍ରାୟ ୯ ତାରିଖବେଳକୁ ଲଘୁଚାପରେ ପରିଣତ ହୋଇପାରେ।
ଆସନ୍ତା ୯ କିମ୍ବା ୧୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଆଇଏମଡି ଆକଳନ ଅନୁସାରେ ଛତିଶଗଡ଼ର ଅନେକ ସ୍ଥାନରେ ଶୁକ୍ରବାର ବର୍ଷା ହୋଇପାରେ। ଶନିବାର ବର୍ଷା କମିଯିବ। କିନ୍ତୁ ଛତିଶଗଡ଼ରେ ଆସନ୍ତା ୨ରୁ ବର୍ଷା ବଢ଼ିପାରେ। ୩ରୁ ସେଠାରେ ବିସ୍ତାରିତ ଅଞ୍ଚଳରେ ବର୍ଷା ହୋଇପାରେ। ତେଣୁ ଲୋକମାନଙ୍କୁ ବଜ୍ରପାତ ସମୟରେ ଘରେ ରହିବା ଓ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।