ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ କଥିତ ‘ଚାନ୍ଦା ଚୋରି’ ପ୍ରସଙ୍ଗକୁ ନେଇ ଶୁକ୍ରବାର ସଂସଦ ପରିସରରେ ଦେଖିବାକୁ ମିଳିଛି ଏକ ନିଆରା ତଥା ରୋଚକ ଡ୍ରାମା। ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ସାଂସଦମାନେ ଏକାଠି ହୋଇ ସଂସଦ ବାହାରେ ଏକ ସାଙ୍କେତିକ ନାଟକ କରିଛନ୍ତି, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବିହାର ପୂର୍ଣ୍ଣିଆରୁ ସ୍ୱାଧୀନ ସାଂସଦ ଥିବା ପପୁ ଯାଦବ ପୂଜକ ବେଶରେ ଆସି ଦାନବାକ୍ସ ଧରି ବସିଥିବା ବେଳେ ରାହୁଲ ଗାନ୍ଧୀ ଏଥିରେ ଦାନ ଦେଇଥିଲେ।
ସୂଚନା ଅନୁଯାୟୀ, ଶୁକ୍ରବାର ସଂସଦ ଭବନର ମକର ଦ୍ୱାର ନିକଟରେ ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ଗେରୁଆ ବସ୍ତ୍ର ପରିଧାନ କରି ଜଣେ ସାଧୁ ବା ପୂଜକ ଭାବରେ ବସିଥିଲେ। ସମାଜବାଦୀ ପାର୍ଟିର ସାଂସଦ ଡିମ୍ପଲ ଯାଦବ ଏବଂ ରୁଚି ବୀରା ତାଙ୍କ ପାଖରେ ଏକ ଦାନବାକ୍ସ ଆଣି ରଖିଥିଲେ। କିଛି ସମୟ ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କିଛି ନେତା ସେଠାରେ ପହଞ୍ଚି ସେହି ବାକ୍ସରେ କିଛି ଟଙ୍କା ପକାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଥିଲା ଯେ, ଲୋକେ ଦାନ କରିଥିବା ଏହି ଟଙ୍କାକୁ ସାଧୁ ବେଶରେ ଥିବା ପପୁ ଯାଦବ ବାକ୍ସରେ ପଡ଼ିବା ପୂର୍ବରୁ ହିଁ ନିଜ ପକେଟରେ ପୂରାଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ବିରୋଧୀ ସାଂସଦମାନେ ତାଙ୍କୁ ଘେରିଯାଇଥିଲେ ଏବଂ “ଚାନ୍ଦା ଚୋର, ଗାଦି ଛାଡ଼” ସ୍ଲୋଗାନ ଦେଇଥିଲେ।
ଏହି ସାଙ୍କେତିକ ପ୍ରଦର୍ଶନ ମାଧ୍ୟମରେ ବିରୋଧୀ ଦଳଗୁଡ଼ିକ ରାମ ମନ୍ଦିର ନିର୍ମାଣ ନାମରେ ହେଉଥିବା ଲୁଟ୍ ଦର୍ଶାଇବାକୁ ପ୍ରୟାସ କରିଥିଲେ। ସେମାନେ ସିଧାସଳଖ ବିଜେପି ଏବଂ ଆରଏସଏସ ଉପରେ ଶ୍ରଦ୍ଧାଳୁଙ୍କ ଟଙ୍କା ଆତ୍ମସାତ୍ କରିଥିବାର ଗମ୍ଭୀର ଆରୋପ ଲଗାଇଛନ୍ତି। ଏହି ଅବସରରେ ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି ଯେ, ଅଯୋଧ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ଦାନ ବାବଦରେ କୌଣସି ରସିଦ ଦିଆଯାଉନାହିଁ ଏବଂ ଟଙ୍କା ଦାନବାକ୍ସରେ ପହଞ୍ଚିବା ପୂର୍ବରୁ ହିଁ ଗାଏବ ହୋଇଯାଉଛି। ଏପରିକି ଟଙ୍କା ଗଣତି ବେଳେ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ପ୍ରାୟ ୭୦ଟି ଅନିୟମିତତାର ଭିଡିଓକୁ ଡିଲିଟ୍ କରି ପ୍ରମାଣ ନଷ୍ଟ କରାଯାଇଛି ବୋଲି ସେ ଦାବି କରିଛନ୍ତି।
ଫୈଜାବାଦ ସାଂସଦ ଅବଧେଶ ପ୍ରସାଦ କହିଛନ୍ତି ଯେ, ଅଯୋଧ୍ୟା ଭଗବାନ ଶ୍ରୀରାମଙ୍କ ପବିତ୍ର ଭୂମି। ଯଦି ଅଯୋଧ୍ୟାରେ କୋଟି କୋଟି ରାମଭକ୍ତଙ୍କ ଆସ୍ଥା ସହ ଖେଳାଯାଇଛି, ତେବେ ଏହାକୁ ଆମେ ସହ୍ୟ କରିବୁ ନାହିଁ। ବିରୋଧୀମାନେ ଏହି ପ୍ରସଙ୍ଗରେ ସଂସଦରେ ବିସ୍ତୃତ ଆଲୋଚନା ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ରାମ ମନ୍ଦିର ଚାନ୍ଦା ବିବାଦ ଏବଂ ନିଟ୍ ପେପର ଲିକ୍ ପ୍ରସଙ୍ଗକୁ ନେଇ ଶୁକ୍ରବାର ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା, ଯାହା ଫଳରେ ଉଭୟ ଗୃହର କାର୍ଯ୍ୟାନୁଷ୍ଠାନକୁ ଦିନକ ପାଇଁ ମୁଲତବୀ ରଖିବାକୁ ପଡ଼ିଥିଲା।