ରାଉରକେଲା:ରେଳବାଇ ପକ୍ଷରୁ ୧୩୨୮୮ ଆରା–ଦୁର୍ଗ ସାଉଥ ବିହାର ଏକ୍ସପ୍ରେସ ରାଉରକେଲା ଷ୍ଟେସନରେ ଟର୍ମିନେଟ୍ ହେବ ବୋଲି ଘୋଷଣା ପରେ ରାଉରକେଲା ରେଳ ଷ୍ଟେସନରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଲାସପୁର ଫେରୁଥିବା ପ୍ରାୟ ୨୦୦ ଜଣ କାଉଡ଼ିଆ ଭକ୍ତ ଷ୍ଟେସନ ପରିସରରେ ଜୋରଦାର ପ୍ରତିବାଦ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ହଙ୍ଗାମା ପରେ ଆରପିଏଫ, ଜିଆରପି ଏବଂ ରେଳବାଇ ଅଧିକାରୀଙ୍କ ହସ୍ତକ୍ଷେପରେ ପରିସ୍ଥିତି ସ୍ୱାଭାବିକ ହୋଇ ପାରିଥିଲା।
ଖବରମୁତାବକ, ଛତିଶଗଡ଼ର ପ୍ରାୟ ୨୦୦ ଜଣ କାଉଡ଼ିଆ ଭକ୍ତ ଝାରଖଣ୍ଡର ବାବା ବୈଦ୍ୟନାଥ ଧାମରେ ଜଳାଭିଷେକ କରିବା ପରେ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ୧୩୨୮୮ ସାଉଥ ବିହାର ଏକ୍ସପ୍ରେସ ଯୋଗେ ବିଳାସପୁର ପାଇଁ ବାହାରିଥିଲେ। ଟ୍ରେନଟି ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ରାଉରକେଲା ରେଳବାଇ ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ ପକ୍ଷରୁ ରାଉରକେଲାରେ ଟର୍ମିନେଟ୍ ହେବ ଏବଂ ପୁଣି ଟ୍ରେନଟି ରାଜେନ୍ଦ୍ରନଗର ଅଭିମୁଖେ ଫେରି ଯିବ ବୋଲି ଘୋଷଣା କରାଯାଇଥିଲା। ଏହି ଘୋଷଣା ଶୁଣିବା ପରେ ରେଳ ଯାତ୍ରୀମାନେ, ବିଶେଷକରି କାଉଡ଼ିଆମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହି ସମୟରେ ବିଲାସପୁର ଯିବା ପାଇଁ ରାଉରକେଲାରୁ ଅନ୍ୟ କୌଣସି ସିଧାସଳଖ ଟ୍ରେନ ଉପଲବ୍ଧ ନଥିବାରୁ କାଉଡ଼ିଆମାନେ ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜୋରଦାର ପ୍ରତିବାଦ କରିଥିଲେ।
କାଉଡ଼ିଆଙ୍କ ଅଭିଯୋଗ ଥିଲା ଯେ, ଟ୍ରେନଟି ରାଉରକେଲାରେ ଟର୍ମିନେଟ୍ ହେବ ବୋଲି ସେମାନଙ୍କୁ ପୂର୍ବରୁ କୌଣସି ସୂଚନା ଦିଆ ଯାଇନଥିଲା। ଯଦି ସେମାନଙ୍କୁ ରେଳବାଇ ପ୍ରଶାସନ ତରଫରୁ ପୂର୍ବରୁ ସୂଚନା ମିଳିଥାନ୍ତା ତେବେ ସେମାନେ ବିକଳ୍ପ ଯାତ୍ରା ବ୍ୟବସ୍ଥା କରି ପାରିଥାନ୍ତେ। ହଠାତ୍ ଯାତ୍ରା ବାଧାପ୍ରାପ୍ତ ହେବାରୁ ସେମାନଙ୍କୁ ଭାରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରପିଏଫ, ଜିଆରପି, ଷ୍ଟେସନ ପ୍ରଶାସନ ଏବଂ ଅନ୍ୟାନ୍ୟ ରେଳ ଅଧିକାରୀମାନେ କାଉଡ଼ିଆଙ୍କ ସହ ଆଲୋଚନା କରି ବିକଳ୍ପ ଯାତ୍ରା ବ୍ୟବସ୍ଥା କରିଥିଲେ। କାଉଡ଼ିଆଙ୍କୁ ୨୨୮୬୧ ଇସ୍ପାତ ଏକ୍ସପ୍ରେସ ଯୋଗେ ଝାରସୁଗୁଡ଼ା ପଠାଯିବ। ସେଠାରୁ ସେମାନେ ୨୦୮୦୭ ହୀରାକୁଦ ଏକ୍ସପ୍ରେସ ଯୋଗେ ବିଲାସପୁର ଅଭିମୁଖେ ଯାତ୍ରା କରିବେ। ରେଳବାଇ ପକ୍ଷରୁ ଏହି ବିକଳ୍ପ ବ୍ୟବସ୍ଥା କରାଯିବା ପରେ କାଉଡ଼ିଆମାନେ ଶାନ୍ତ ହୋଇଥିଲେ ।