ନୂଆଦିଲ୍ଲୀ: ଗୁଜୁରାଟରେ ଚାନ୍ଦିପୁରା ଭାଇରସ ଯୋଗୁଁ ୨୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୧୮୪ ଜଣ ସନ୍ଦିଗ୍ଧ ମାମଲା ମଧ୍ୟରୁ ୩୫ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷଣ ଏବଂ ଚିକିତ୍ସା ପ୍ରୟାସ ଜାରି ରଖିଛି।
ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ପାନଶେରିଆ କହିଛନ୍ତି ଯେ ରାଜ୍ୟର ସମସ୍ତ ସନ୍ଦିଗ୍ଧ ମାମଲାରେ ଚାନ୍ଦିପୁର ଭାଇରସ ଥିବା ନିଶ୍ଚିତ ହୋଇନାହିଁ। ଏପର୍ଯ୍ୟନ୍ତ ମୋଟ ୧୮୪ ଜଣ ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଛି। ଯାହା ମଧ୍ୟରୁ ୩୫ ଜଣଙ୍କ ମଧ୍ୟରେ ଚାନ୍ଦିପୁର ଭାଇରସ ଥିବା ସ୍ପଷ୍ଟ ହୋଇଛି। ୧୧ଟି ନମୁନାର ଫଳାଫଳ ଅପେକ୍ଷାରେ ଅଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ସନ୍ଦିଗ୍ଧ ମାମଲା ମଧ୍ୟରୁ ୨୨ ଜଣ ଶିଶୁ ଭାଇରସ ଯୋଗୁଁ ମୃତ୍ୟୁବରଣ କରିଛନ୍ତି।
ରାଜ୍ୟ ସାରା ସରକାରୀ ଡାକ୍ତରଖାନାରେ ବର୍ତ୍ତମାନ ଭାଇରସରେ ସଂକ୍ରମିତ ୭ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ଯେତେବେଳେ ୬ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ ଗାନ୍ଧୀନଗର, ସାବରକଣ୍ଠା ଜିଲ୍ଲାର ହିମ୍ମତନଗର, ପାଟନ, ରାଜକୋଟ ଏବଂ ଭାବନଗରରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପିଲାମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଦିଆଯାଉଛି ଏବଂ ଡାକ୍ତରମାନେ ସେମାନଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି।
ଏହି ସଂକ୍ରମଣଗୁଡ଼ିକ କୌଣସି ଗୋଟିଏ ଗାଁ କିମ୍ବା ଅଞ୍ଚଳ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଗୁଜରାଟର ବିଭିନ୍ନ ସ୍ଥାନରୁ ରିପୋର୍ଟ ହୋଇଛି। ସେହିପରି ବିଭାଗ ଲୋକମାନଙ୍କୁ ମାଟି ଘର ଏବଂ କାନ୍ଥରେ ଫାଟକୁ ସିଲ୍ କରିବାକୁ ପରାମର୍ଶ ଦେଇଛି, ଏବଂ ପଶୁପାଳନ ସ୍ଥାନ ଥିବା ଅଞ୍ଚଳରେ ବ୍ୟାପକ ଭାବରେ କୀଟନାଶକ ସ୍ପ୍ରେ ମଧ୍ୟ କରୁଛି। ସମସ୍ତ ସରକାରୀ ଏବଂ ବେସରକାରୀ ଶିଶୁ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଭାଇରସ୍ ଲକ୍ଷଣ ଥିବା ରୋଗୀମାନଙ୍କୁ ତୁରନ୍ତ ଅକ୍ସିଜେନ୍ ଏବଂ ଭେଣ୍ଟିଲେଟର ସହିତ ସଜ୍ଜିତ ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU) ରେ ଭର୍ତ୍ତି କରନ୍ତୁ, ଯାହା ଦ୍ଵାରା ବିଳମ୍ବ ନକରି ଚିକିତ୍ସା ଆରମ୍ଭ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।