Latest Odisha News

BREAKING NEWS

‘୧୦୦% ଖାଣ୍ଟି’ ଦାବି କରି ଫସିଲା ଡାବର: ମହୁ, ଘିଅ ସମେତ ଅନେକ ଉତ୍ପାଦ ଉପରେ FSSAIର କଟକଣା

ନୂଆଦିଲ୍ଲୀ: ନିଜ ଉତ୍ପାଦକୁ ‘୧୦୦ ପ୍ରତିଶତ ଖାଣ୍ଟି’ ବୋଲି ଦାବି କରି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଭାରତର ଅନ୍ୟତମ ପ୍ରସିଦ୍ଧ କମ୍ପାନୀ ଡାବର ଇଣ୍ଡିଆ ଏବେ ବଡ଼ ଅଡ଼ୁଆରେ ପଡ଼ିଛି। ମହୁ, ଘିଅ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ବିଭ୍ରାନ୍ତିକର ଦାବି କରୁଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ (FSSAI) କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହିଭଳି ଦାବି କରୁଥିବା ଉତ୍ପାଦଗୁଡ଼ିକର ବିକ୍ରି ଏବଂ ବିଜ୍ଞାପନ ଉପରେ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି ।

ଖାଦ୍ୟ ନିୟାମକଙ୍କ ସୂଚନା ଅନୁଯାୟୀ, କଟକଣା ଲାଗିଥିବା ଉତ୍ପାଦଗୁଡ଼ିକ ମଧ୍ୟରେ ଡାବରର ମହୁ, ଆପଲ୍ ସାଇଡର୍ ଭିନେଗାର୍, ଭର୍ଜିନ୍ ନଡ଼ିଆ ତେଲ, ରାଶି ତେଲ, ଗାଈ ଘିଅ, ନଡ଼ିଆ ପାଣି ଏବଂ ନଡ଼ିଆ କ୍ଷୀର ଭଳି ବହୁଳ ବ୍ୟବହୃତ ସାମଗ୍ରୀ ସାମିଲ ରହିଛି। କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ତଥା ପ୍ୟାକେଟ୍‌ଗୁଡ଼ିକରେ “୧୦୦ ପ୍ରତିଶତ ପ୍ରାକୃତିକ”, “୧୦୦ ପ୍ରତିଶତ ବିଶୁଦ୍ଧ”, “୧୦୦ ପ୍ରତିଶତ ଶୁଦ୍ଧତା ଗ୍ୟାରେଣ୍ଟି” ଏବଂ “୧୦୦ ପ୍ରତିଶତ ଅର୍ଗାନିକ୍” ଭଳି ଆକର୍ଷଣୀୟ ଶବ୍ଦମାନ ବ୍ୟବହାର କରାଯାଇଥିଲା।

ଏଫଏସଏସଏଆଇ ସ୍ପଷ୍ଟ କରିଛି ଯେ ଏଭଳି ବିଜ୍ଞାପନ କରିବା ଖାଦ୍ୟ ସୁରକ୍ଷା ବିଜ୍ଞାପନ ଏବଂ ଦାବି ନିୟମାବଳୀ, ୨୦୧୮ର ସିଧାସଳଖ ଉଲ୍ଲଂଘନ ।

ଏହି ଶବ୍ଦଗୁଡ଼ିକ ସମ୍ପୂର୍ଣ୍ଣ ଅସ୍ପଷ୍ଟ ଏବଂ ଆଇନଗତ ଭାବେ ଏହାକୁ ଠିକଣା ପ୍ରମାଣିତ କରାଯାଇପାରିବ ନାହିଁ ବୋଲି ପ୍ରାଧିକରଣ କହିଛି। ଏହାଦ୍ୱାରା ସାଧାରଣ ଗ୍ରାହକମାନେ ଉତ୍ପାଦର ପ୍ରକୃତ ଶୁଦ୍ଧତାକୁ ନେଇ ଭ୍ରମିତ ହେବାର ବ୍ୟାପକ ଆଶଙ୍କା ରହିଛି। ରିପୋର୍ଟ ଅନୁସାରେ, କମ୍ପାନୀ ପୂର୍ବରୁ ଦିଆଯାଇଥିବା ସତର୍କବାଣୀକୁ ବାରମ୍ବାର ଅଣଦେଖା କରିଥିବାରୁ ବାଧ୍ୟ ହୋଇ ଏଫଏସଏସଏଆଇ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି।

ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଗାମୀ ୧୫ ଦିନ ମଧ୍ୟରେ ଏକ ଆକ୍ସନ୍ ରିପୋର୍ଟ (କାର୍ଯ୍ୟାନୁଷ୍ଠାନ ରିପୋର୍ଟ) ଦାଖଲ କରିବାକୁ ଡାବରକୁ କୁହାଯାଇଛି। ନିୟାମକଙ୍କ କାର୍ଯ୍ୟାନୁଷ୍ଠାନ ପରେ କମ୍ପାନୀ ପକ୍ଷରୁ ନିଜର ବିଭିନ୍ନ ଉତ୍ପାଦର ଦାବିଗୁଡ଼ିକୁ ଏବେ ପୁନଃ ସମୀକ୍ଷା କରାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଡାବରରରିଏଲ୍ ଫ୍ରୁଟ୍ ଜୁସ୍ ଉପରେ କରାଯାଇଥିବା ‘୧୦୦ ପ୍ରତିଶତ ଫ୍ରୁଟ୍ ଜୁସ୍’ ଦାବିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ବିବାଦ ଉପୁଜିଥିଲା। ଉକ୍ତ ଜୁସ୍‌ରେ ପାଣି ଏବଂ ଅନ୍ୟାନ୍ୟ ମିଶ୍ରଣ ଥିବା ଦର୍ଶାଯାଇଥିଲା, ଯାହା ଗ୍ରାହକଙ୍କ ସୁରକ୍ଷା ତଥା ସ୍ୱଚ୍ଛତା ପ୍ରତି ବିପଦ ସୃଷ୍ଟି କରୁଥିଲା। ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏବେ ଏଭଳି କଡ଼ା କଟକଣା ଜାରି କରାଯାଇଛି।

Leave A Reply

Your email address will not be published.