Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ଓ ଡିପଫେକ୍ ମାମଲା: କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ଭଳି ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ମୂଳ କମ୍ପାନୀ ‘ମେଟା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ମାଗିଛନ୍ତି। ନିକଟରେ ଫେସବୁକରୁ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ବା ରିଲ୍‌କୁ ହଟାଇ ଦିଆଯିବା ଘଟଣାକୁ ନେଇ କେନ୍ଦ୍ର ସରକାର ଏବଂ ସଂସଦୀୟ କମିଟିର କଡ଼ା ଚେତାବନୀ ପରେ ଜୁକରବର୍ଗ ଏହି କ୍ଷମାପ୍ରାର୍ଥନା କରିଥିବା ସୂଚନା ମିଳିଛି।

ଏଥିସହିତ ପ୍ଲାଟଫର୍ମରେ ଉପଲବ୍ଧ ଆପତ୍ତିଜନକ ‘ଡିପଫେକ୍’ ଭିଡିଓ ଏବଂ ଶିଶୁ ଯୌନ ଶୋଷଣ ସାମଗ୍ରୀ ଭଳି ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ମଧ୍ୟ ସେ ନିଜର ଦୁଃଖ ପ୍ରକାଶ କରିବା ସହ ପରିଚାଳନାଗତ ତ୍ରୁଟି ସ୍ୱୀକାର କରିଛନ୍ତି।

ସୂଚନା ଅନୁଯାୟୀ, ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି ‘ନିଟ୍’ ପରୀକ୍ଷା ବିବାଦ ଓ ପେପର୍ ଲିକ୍ ପ୍ରସଙ୍ଗରେ ଆଶ୍ୱାସନା ଦେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ତେବେ ମେଟା ପକ୍ଷରୁ କୌଣସି କାରଣ ନଦର୍ଶାଇ ରାତି ପ୍ରାୟ ୧୨ଟା ୩୦ ରୁ ଭୋର୍ ୫ଟା ପର୍ଯ୍ୟନ୍ତ ଏହି ଭିଡିଓକୁ ଫେସବୁକରୁ ହଟାଇ ଦିଆଯାଇଥିଲା। ଏହି ଘଟଣାକୁ ସଂସଦର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ସମ୍ପର୍କିତ ସ୍ଥାୟୀ କମିଟି ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସଂସଦୀୟ କମିଟି ମେଟା କର୍ତ୍ତୃପକ୍ଷଙ୍କୁ ତୀବ୍ର ଭର୍ତ୍ସନା କରିବା ସହ ମାର୍କ ଜୁକରବର୍ଗଙ୍କୁ ୩ ଦିନ ଭିତରେ ସର୍ତ୍ତହୀନ କ୍ଷମା ମାଗିବାକୁ ଅଲ୍ଟିମେଟମ୍ ଦେଇଥିଲେ। ଯଦି ସେ କ୍ଷମା ନମାଗନ୍ତି, ତେବେ ଆଇଟି ଆଇନର ଧାରା ୭୯(୩) ଅଧୀନରେ ମେଟାକୁ ମିଳିଥିବା ଆଇନଗତ ସୁରକ୍ଷା ବା ‘ସେଫ୍ ହାର୍ବର୍’ କବଚକୁ ପ୍ରତ୍ୟାହାର କରିନିଆଯିବ ଏବଂ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ଏହି କଡ଼ା ଆଭିମୁଖ୍ୟ ପରେ ମେଟାର ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟର ଉଚ୍ଚାଧିକାରୀଙ୍କ ସହ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ପ୍ଲାଟଫର୍ମର ସ୍ୱୟଂଚାଳିତ କଣ୍ଟେଣ୍ଟ୍ ଫିଲ୍ଟର୍ ବା ବୈଷୟିକ ତ୍ରୁଟି ଯୋଗୁଁ ଭୁଲ୍‌ବଶତଃ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟିଯାଇଥିଲା ବୋଲି କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି। ଭବିଷ୍ୟତରେ ଏଭଳି ତ୍ରୁଟି ଯେପରି ନଘଟେ ଏବଂ ମିଥ୍ୟା ତଥ୍ୟ ବା ଡିପଫେକ୍ ଉପରେ କିଭଳି ଲଗାମ୍ ଲଗାଯାଇପାରିବ, ସେନେଇ କମ୍ପାନୀ ଅଧିକ ସତର୍କତା ଅବଲମ୍ବନ କରିବ ବୋଲି ଜୁକରବର୍ଗ ସରକାରଙ୍କୁ ନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.