ମୁମ୍ବାଇ: ବଲିଉଡର ଲୋକପ୍ରିୟ ଖଳନାୟକ ତଥା ‘ଗଜନୀ’ ଫେମ୍ ଅଭିନେତା ପ୍ରଦୀପ ରାୱତଙ୍କ ଦେହାନ୍ତରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ମାତ୍ର ୭୪ ବର୍ଷ ବୟସରେ ବ୍ଲଡ୍ କ୍ୟାନସର ବା ରକ୍ତ କର୍କଟରେ ପୀଡ଼ିତ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଦୀପଙ୍କ ବିୟୋଗ ଖବର ଶୁଣି ବଲିଉଡର ଲୋକପ୍ରିୟ ଅଭିନେତା ଆମୀର ଖାନ୍ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଆମୀର ଖାନ୍ ଏବଂ ପ୍ରଦୀପ ରାୱତ ଏକାଠି ‘ସରଫରୋଶ’, ‘ଲଗାନ୍’ ଏବଂ ‘ଗଜନୀ’ ଭଳି ବ୍ଲକବଷ୍ଟର ଫିଲ୍ମରେ କାମ କରିଥିଲେ। ସେ ପ୍ରଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ ତାଙ୍କ ବିନା ଫିଲ୍ମ ‘ଗଜନୀ’ କେବେ ବି ଏତେ ବଡ଼ ସଫଳତା ହାସଲ କରିପାରିନଥାନ୍ତା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆମୀର ଖାନ୍ କହିଛନ୍ତି ଯେ, ପ୍ରଦୀପ ଜଣେ ନିର୍ଭୀକ ଏବଂ ଅତ୍ୟନ୍ତ ସମର୍ପିତ ଅଭିନେତା ଥିଲେ। ‘ଗଜନୀ’ ଫିଲ୍ମରେ ତାଙ୍କର ଖଳନାୟକ ଚରିତ୍ର ଭାରତୀୟ ସିନେମା ଇତିହାସରେ ସବୁଠାରୁ ଭୟଙ୍କର ତଥା ପ୍ରଭାବଶାଳୀ ଥିଲା। କେବଳ ଖଳନାୟକ ନୁହେଁ, ବରଂ ‘ଲଗାନ୍’ ଫିଲ୍ମରେ ଦେବା ସିଂହ ସୋଢ଼ୀ ଭଳି ଏକ ସକାରାତ୍ମକ ଚରିତ୍ରରେ ମଧ୍ୟ ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ଆମୀରଙ୍କ କହିବା ଅନୁଯାୟୀ, ଦେବା ସିଂହ ଭୂମିକାକୁ ପ୍ରଦୀପ ଯେଭଳି ନିଖୁଣ ଭାବେ ଫୁଟାଇ ପାରିଥିଲେ, ତାହା ଅନ୍ୟ କାହା ପକ୍ଷରେ ସମ୍ଭବ ନଥିଲା। ତାଙ୍କ ଭଳି ଜଣେ ବହୁମୁଖୀ ପ୍ରତିଭାଙ୍କୁ ହରାଇବା ସିନେମା ଜଗତ ପାଇଁ ଏକ ବଡ଼ କ୍ଷତି।
ଉଲ୍ଲେଖଯୋଗ୍ୟ ଯେ, ବି.ଆର୍ ଚୋପ୍ରାଙ୍କ ପ୍ରସିଦ୍ଧ ପୌରାଣିକ ଧାରାବାହିକ ‘ମହାଭାରତ’ରେ ଅଶ୍ୱତ୍ଥାମା ଭୂମିକାରେ ଅଭିନୟ କରି ପ୍ରଦୀପ ରାୱତ ଘରେ ଘରେ ପରିଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୀ ବ୍ୟତୀତ ତେଲୁଗୁ, ତାମିଲ, କନ୍ନଡ଼, ଓ ମାଲାୟାଲମ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ। ବିଶେଷ କରି ଦକ୍ଷିଣ ଭାରତୀୟ ସିନେମାରେ ସେ ଏକଚାଟିଆ ଖଳନାୟକ ଭାବେ ରାଜ୍ କରୁଥିଲେ। ଦୀର୍ଘ ଦିନ ଧରି ସେ କ୍ୟାନସର ସହ ଲଢ଼େଇ କରୁଥିଲେ ଏବଂ ଗତ ଦେଢ଼ ମାସ ହେବ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସାଧୀନ ଥିଲେ। ପ୍ରଦୀପ ରାୱତଙ୍କ ଦେହାନ୍ତ ପରେ ଆମୀର ଖାନ୍ଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାର ଓ ସାଧାରଣ ପ୍ରଶଂସକମାନେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।