ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ରାମାୟଣ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ରଣବୀର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି ମୁକ୍ତିଲାଭ କରିବା ପୂର୍ବରୁ ଏବେ ବଲିଉଡର ଏକ ପୁରୁଣା କାହାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ରଣବୀରଙ୍କ ବହୁ ପୂର୍ବରୁ ଅର୍ଥାତ ୧୯୯୦ ଦଶକରେ ସଲମାନ ଖାନଙ୍କୁ ନେଇ ମଧ୍ୟ ଏକ ‘ରାମାୟଣ’ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତାଙ୍କ ସାନ ଭାଇ ସୋହେଲ ଖାନ ନେଇଥିଲେ। କିନ୍ତୁ ଆରମ୍ଭ ହେବା ପରେ ମଧ୍ୟ ତାହା କେବେ ପରଦାକୁ ଆସିପାରି ନଥିଲା।
ସେତେବେଳେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ପୂଜା ଭଟ୍ଟ ଏବଂ ସୋହେଲ ଖାନଙ୍କ ପ୍ରେମ ସମ୍ପର୍କ କାରଣରୁ ଫିଲ୍ମର କାମ ଅଧାରୁ ବନ୍ଦ ହୋଇଯାଇଥିଲା। ‘ମିଡ୍-ଡେ’ର ଏକ ରିପୋର୍ଟ ମୁତାବକ, ୧୯୯୫ ମସିହାରେ ପୂଜା ଭଟ୍ଟ ଏବଂ ସୋହେଲ ଖାନଙ୍କ ସମ୍ପର୍କ ବିବାହର ରୂପ ନେବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ସୋହେଲଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି ଦେଇନଥିଲେ। ବରିଷ୍ଠ ଚିତ୍ରନାଟ୍ୟକାର ତଥା ସୋହେଲଙ୍କ ବାପା ସଲିମ ଖାନ ଏହାକୁ କଡ଼ା ବିରୋଧ କରିବା ସହ ଏହି ସମ୍ପର୍କରୁ ଓହରି ଆସିବାକୁ ସୋହେଲଙ୍କୁ ପରାମର୍ଶ ଦେଇଥିଲେ।
ଏହି ଘଟଣାର ପ୍ରଭାବ ସେହି ସମୟର ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ ‘ରାମାୟଣ’ ଉପରେ ପଡ଼ିଥିଲା। ପରିବାରର ଅସମ୍ମତି ପରେ ପୂଜା ଭଟ୍ଟ ଫିଲ୍ମରୁ ଓହରି ଯାଇଥିଲେ। ଏହାପରେ ଫିଲ୍ମର କାମକୁ ଆଗକୁ ବଢ଼ାଇବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। ତେବେ ପ୍ରାୟ ୪୦ ପ୍ରତିଶତ ସୁଟିଂ ଶେଷ ହେବା ପରେ ଶେଷରେ ପ୍ରୋଜେକ୍ଟଟିକୁ ବନ୍ଦ କରିବାକୁ ପଡ଼ିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।
ଏବେ ଦୀର୍ଘ ତିନି ଦଶନ୍ଧି ପରେ ପୁଣି ଥରେ ‘ରାମାୟଣ’ ନୂଆ ରୂପରେ ରୂପେଲି ପରଦାକୁ ଆସିବାକୁ ଯାଉଛି। ଏହି ବିଗ୍ ବଜେଟ୍ ଆଡାପ୍ଟେସନରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା ଏବଂ ସାଉଥ୍ ଷ୍ଟାର ୟଶ୍ ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ ହେବ। ଏହାର ପ୍ରଥମ ଭାଗ ୨୦୨୬ ମସିହା ନଭେମ୍ବର ୬ ତାରିଖରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳି ସମୟରେ ମୁକ୍ତିଲାଭ କରିବା ନେଇ ଧାର୍ଯ୍ୟ କରାଯାଇଛି।
