ମୋରବୀ: ଗୁଜରାଟର ମୋରବୀ ଜିଲ୍ଲାରେ ଥିବା ଏକ ରହସ୍ୟମୟ କୂଅକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଏହି କୂଅର ପାଣି ବିନା କୌଣସି ବାହ୍ୟ ପ୍ରଭାବରେ କିମ୍ବା ମୋଟର ଲଗାଯାଇ ନଥାଇ ଆପେ ଆପେ ସମୁଦ୍ର ଲହଡ଼ି ପରି ଉଠୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆଖପାଖ ଗାଁରୁ ଲୋକଙ୍କର ପ୍ରବଳ ଭିଡ଼ ଜମୁଥିବା ବେଳେ ଏହାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ଖେଳିଯାଇଛି। ପାଣିରେ ସୃଷ୍ଟି ହେଉଥିବା ଏହି ଅସ୍ୱାଭାବିକ ଘୂର୍ଣ୍ଣିକୁ ଦେଖି ଅନେକ ଲୋକ ପ୍ରଥମେ ଭୟଭୀତ ହୋଇପଡିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ମୋରବୀ ତାଲୁକା ଅନ୍ତର୍ଗତ ବୀରପରଡ଼ା ଗାଁର କୃଷକ ପ୍ରାଣଜୀବନଭାଇ ସଦାରିୟାଙ୍କ ଚାଷ ଜମିରେ ନିକଟରେ ଏହି ନୂଆ କୂଅଟି ଖୋଳାଯାଇଥିଲା। ଗତ କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁଁ କୂଅଟି ପାଣିରେ ସମ୍ପୂର୍ଣ୍ଣ ଭରିଯାଇଥିଲା। ଏହା ପରେ ହଠାତ୍ ଏହାର ପାଣି ଆପେ ଆପେ ଜୋରରେ ହଲିବାକୁ ଲାଗିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ସମସ୍ତ କୂଅର ପାଣି ସମ୍ପୂର୍ଣ୍ଣ ସ୍ଥିର ରହିଥିବା ବେଳେ କେବଳ ଏହି ଗୋଟିଏ କୂଅରେ ଏପରି ଅସ୍ୱାଭାବିକ ତରଙ୍ଗ ଦେଖିବାକୁ ମିଳିଥିଲା। ମୋରବୀ ଅଞ୍ଚଳର ପୂର୍ବ ଭୂକମ୍ପ ଇତିହାସ ଥିବାରୁ ଲୋକେ ଏହାକୁ ଭୂକମ୍ପର ପୂର୍ବାଭାସ କିମ୍ବା ଭୂତପ୍ରେତଙ୍କ ଅଲୌକିକ କାର୍ଯ୍ୟ ବୋଲି ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ।
ଏହି ରହସ୍ୟମୟ ଘଟଣା ଏବଂ ଗୁଜବ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ସକ୍ରିୟ ହୋଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ଜିଲ୍ଲା ଭୂତତ୍ତ୍ୱ ବିଭାଗ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ମୋରବୀ ଜିଲ୍ଲାପାଳ ସ୍ୱପ୍ନିଲ ଖରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ଯେ ଏହା ପଛରେ କୌଣସି ଅଲୌକିକ ଶକ୍ତି ନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପାଣି ତଳେ ବାୟୁ ଫସି ରହିବା କାରଣରୁ ଏହା ବାହାରକୁ ଆସିବାକୁ ଚେଷ୍ଟା କରୁଛି। ଯେତେବେଳେ ତଳେ ଥିବା ବାୟୁ ଘୁଞ୍ଚୁଛି ସେତେବେଳେ ପାଣିର ଉପରିଭାଗରେ ଲହଡ଼ି ସୃଷ୍ଟି ହେଉଛି। ତେଣୁ ଏଥିପାଇଁ କାହାକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ।
ସେହିପରି ଜିଲ୍ଲା ଭୂତତ୍ତ୍ୱବିତ୍ ଜଗଦୀଶ ବାଢେର ଭୂକମ୍ପ ଆଶଙ୍କାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଭୂକମ୍ପ ଗବେଷଣା ପ୍ରତିଷ୍ଠାନ ସହ ଏ ନେଇ ବିସ୍ତୃତ ଆଲୋଚନା କରାଯାଇଛି ଏବଂ ସେଠାରେ କୌଣସି ଭୂକମ୍ପ ଗତିବିଧି ନାହିଁ ବୋଲି ସ୍ପଷ୍ଟ ହୋଇଛି। ପ୍ରବଳ ବର୍ଷା ପରେ ଭୂତଳ ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଏବଂ କୂଅଟି ରାସ୍ତା କଡ଼ରେ ଥିବାରୁ ପବନର ପ୍ରବାହ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ସୋସିଆଲ ମିଡିଆରେ ଏହି ରହସ୍ୟମୟ କୂଅର ଭିଡିଓ ଏବେ ବି ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ତେବେ ଏହି ଘଟଣାର ଅଧିକ ବିସ୍ତୃତ ଅନୁଧ୍ୟାନ ପାଇଁ ଗୁଜରାଟ ଗ୍ରାଉଣ୍ଡୱାଟର ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ଦାୟିତ୍ୱ ଦିଆଯାଇଛି। ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହି ଜଳ ତରଙ୍ଗର ପ୍ରକୃତ କାରଣ ଆହୁରି ସ୍ପଷ୍ଟ ହୋଇପାରିବ ବୋଲି ପ୍ରଶାସନ ଆଶା ରଖିଛି। ସାଧାରଣ ଲୋକଙ୍କୁ କୌଣସି ପ୍ରକାର ମିଥ୍ୟା ଖବର ଉପରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଇଛି।
