କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଅଚଳାବସ୍ଥା ଏବଂ ବିବାଦର ଖୁବଶୀଘ୍ର ଅନ୍ତ ଘଟିବ । କଟକ ସଦର ବିଧାୟକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ନେଇ କ୍ୟାମ୍ପସରେ ଯେଉଁ ଅଶାନ୍ତି ଦେଖାଦେଇଥିଲା ତାହା ଶୀଘ୍ର ସମାଧାନ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଲାଗି ରହିଥିବା ଏହି ବିବାଦ ଉପରେ କୁଳପତିଙ୍କ ବୟାନ ଏବେ ଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଆଶାର ସଞ୍ଚାର କରିଛି।
ଗଣମାଧ୍ୟମକୁ ସୂଚନା ଦେଇ କୁଳପତି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ସ୍ୱାର୍ଥ ଏବଂ ଶିକ୍ଷକମାନଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ସମସ୍ତ ପକ୍ଷ ସହ ବର୍ତ୍ତମାନ ଆଲୋଚନା ଜାରି ରହିଛି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି କୌଣସି ପରିସ୍ଥିତିରେ ପ୍ରଭାବିତ ନହୁଏ ସେଥିପାଇଁ ଉଭୟ ଶିକ୍ଷକ ସଂଘ ଏବଂ ସରକାରୀ ସ୍ତରରେ ସକାରାତ୍ମକ କଥାବାର୍ତ୍ତା ଆଗେଇଛି । ଖୁବଶୀଘ୍ର ଏକ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇ କ୍ୟାମ୍ପସରେ ପରିସ୍ଥିତିକୁ ସ୍ୱାଭାବିକ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ହଷ୍ଟେଲ ସମସ୍ୟାକୁ କେନ୍ଦ୍ର କରି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଏବଂ ରେଭେନ୍ସାର ଚିଫ୍ ୱାର୍ଡେନଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା । ଏହି ଘଟଣା ପରେ ବିଧାୟକ ବାଚସ୍ପତିଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ତିରିଶରୁ ଊର୍ଦ୍ଧ୍ୱ ୱାର୍ଡେନ ଏବଂ ଡେପୁଟି ୱାର୍ଡେନ ନିଜ ପଦବୀରୁ ସାମୂହିକ ଇସ୍ତଫା ଦେଇଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ବିଧାୟକଙ୍କ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରାଯିବା ସହ ସେ ବାଚସ୍ପତିଙ୍କୁ ଦେଇଥିବା ନିଜ ଚିଠି ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସର୍ତ୍ତ ରଖାଯାଇଥିଲା । ବିଧାୟକ ସିନେଟର ସଦସ୍ୟ ନହୋଇ ମଧ୍ୟ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ରୁଟା ଅଭିଯୋଗ ଆଣିଥିଲା ।
ଏହି ସମସ୍ତ ଘଟଣାକ୍ରମ ପରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଏବଂ ଶୈକ୍ଷିକ ବାତାବରଣ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ତେବେ ବର୍ତ୍ତମାନ କୁଳପତିଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ପଡିବା ଆରମ୍ଭ ହୋଇଛି । ଆପୋଷ ଟେବୁଲ ଆଲୋଚନା ମାଧ୍ୟମରେ ସମସ୍ତ ମାନମନାନ୍ତର ଦୂର ହେବ ଏବଂ ଇସ୍ତଫା ଦେଇଥିବା ୱାର୍ଡେନମାନେ ପୁଣିଥରେ ନିଜ ଦାୟିତ୍ୱକୁ ଫେରିବେ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।
