Latest Odisha News

BREAKING NEWS

Ageing Crisis: ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ! ବୟସ୍କଙ୍କ ଯତ୍ନ ନେଇ ଚିନ୍ତା! ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ ଆର୍ଥିକ ବିକାଶ କରୁଛି। କିନ୍ତୁ ଏହି ବିକାଶ ସହ ଦେଶ ସାମ୍ନା କରିବାକୁ ଯାଉଛି ଆଉ ଏକ ବଡ଼ ଚ୍ୟାଲେଞ୍ଜ, ବଢୁଥିବା ବୟସ୍କ ଜନସଂଖ୍ୟା। ଏକ ନୂଆ ଗବେଷଣା ଚେତାବନୀ ଦେଇଛି ଯେ, ଭାରତ ଧନୀ ହେବା ପୂର୍ବରୁ ହିଁ ବୁଢ଼ା ହେବାକୁ ଯାଉଛି। ଅର୍ଥାତ୍‌, ଦେଶର ଆୟ ସ୍ତର ବିକଶିତ ଦେଶଗୁଡ଼ିକ ଭଳି ଉଚ୍ଚ ହେବା ପୂର୍ବରୁ ବୟସ୍କଙ୍କ ସଂଖ୍ୟା ବହୁତ ବଢ଼ିଯିବ।

ଟ୍ରାନ୍ସଫର୍ମ ରୁରାଲ୍ ଇଣ୍ଡିଆ (TRI) ପ୍ରକାଶ କରିଥିବା ‘ଜନସଂଖ୍ୟାଗତ ପରିବର୍ତ୍ତନ, ବଦଳୁଥିବା ପରିବାର ଏବଂ ଗ୍ରାମୀଣ ଭାରତରେ ଯତ୍ନ ବ୍ୟବସ୍ଥାର ଭବିଷ୍ୟତ’ ରିପୋର୍ଟରେ କୁହାଯାଇଛି, ୨୦୫୦ ସୁଦ୍ଧା ଭାରତର ପ୍ରାୟ ୩୪୭ ନିୟୁତ ଅର୍ଥାତ୍‌ ୩୪.୭ କୋଟି ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇପାରେ। ଅର୍ଥାତ୍‌ ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ଜଣେ ବୟସ୍କ ହେବେ। ଆଶ୍ଚର୍ଯ୍ୟର କଥା, ଏହି ବୟସ୍କଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରିବେ।

ରିପୋର୍ଟ ଅନୁଯାୟୀ, ୨୦୦୧ରେ ପ୍ରତ୍ୟେକ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୮.୪ ଜଣ କାର୍ଯ୍ୟକ୍ଷମ ବୟସର ଲୋକ ଥିଲେ। ୨୦୨୬ରେ ଏହି ସଂଖ୍ୟା ୫.୨କୁ ଖସିଛି। ଛୋଟ ପରିବାର, କମୁଥିବା ଜନ୍ମହାର, ଚାକିରି ପାଇଁ ଯୁବପିଢ଼ିର ସହରମୁହାଁ ହେବା ଏବଂ ଲୋକଙ୍କ ଆୟୁ ବଢ଼ିବା ଏହାର ପ୍ରମୁଖ କାରଣ। ଏବେ ମଧ୍ୟ ଭାରତର ପ୍ରାୟ ୯୪ ପ୍ରତିଶତ ବୟସ୍କଙ୍କ ଯତ୍ନ ଘରେ ହିଁ ନିଆଯାଉଛି। କିନ୍ତୁ ଯେଉଁ ପରିବାର ଏହି ଦାୟିତ୍ୱ ନେଉଛି, ସେଠାରେ ସଦସ୍ୟଙ୍କ ସଂଖ୍ୟା ଧୀରେଧୀରେ କମୁଛି।

ବୟସ୍କଙ୍କ ଯତ୍ନ ନେବାରେ ମହିଳାମାନଙ୍କ ଉପରେ ଅଧିକ ଚାପ ପଡ଼ୁଛି। ଅଧ୍ୟୟନ ଅନୁସାରେ, ଭାରତୀୟ ମହିଳାମାନେ ପ୍ରତିଦିନ ପ୍ରାୟ ୩୦୫ ମିନିଟ୍‌ ବିନା ମଜୁରିର ଘରୋଇ ଓ ଯତ୍ନ କାମରେ ବିତାଉଥିବା ବେଳେ ପୁରୁଷମାନେ ମାତ୍ର ୫୬ ମିନିଟ୍‌ ଦିଅନ୍ତି। ଫଳରେ ମହିଳାଙ୍କ ଚାକିରି ଓ ଶ୍ରମଶକ୍ତିରେ ଅଂଶଗ୍ରହଣ ମଧ୍ୟ ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନ ଏହି ଚାପକୁ ଆହୁରି ବଢ଼ାଉଛି। ଗରମ ଦିନ ଓ ବନ୍ୟା ସମୟରେ ଘରୋଇ ଯତ୍ନ କାମର ଭାର ମହିଳାଙ୍କ ଉପରେ ଆହୁରି ବଢ଼ିଯାଉଛି।

ଭାରତରେ ପ୍ରାୟ ଦୁଇ-ତୃତୀୟାଂଶ ମୃତ୍ୟୁ ଏବେ ମଧୁମେହ, ହୃଦ୍‌ରୋଗ ଓ କର୍କଟ ଭଳି ଅଣ-ସଂକ୍ରାମକ ରୋଗ ସହ ଜଡ଼ିତ। ଅର୍ଥାତ୍‌ ଲୋକେ କେବଳ ଅଳ୍ପ ବୟସରେ ମୃତ୍ୟୁବରଣ କରୁନାହାନ୍ତି, ବରଂ ଦୀର୍ଘ ସମୟ ଧରି ରୋଗ ଓ ଅକ୍ଷମତା ସହ ବଞ୍ଚୁଛନ୍ତି। ତେଣୁ କେବଳ ହସ୍ପିଟାଲ ନୁହେଁ, ଦୀର୍ଘକାଳୀନ ଯତ୍ନ ବ୍ୟବସ୍ଥାର ଆବଶ୍ୟକତା ବଢ଼ିବ।

TRI ‘ଯତ୍ନର ପଡ଼ୋଶ (Neighbourhood of Care)’ ମଡେଲର ପ୍ରସ୍ତାବ ଦେଇଛି। ଏଥିରେ ନୂଆ ହସ୍ପିଟାଲ ନିର୍ମାଣ ଅପେକ୍ଷା ଗାଁରେ ପୂର୍ବରୁ ଥିବା ଗ୍ରାମ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନୱାଡି କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଏକ ଯତ୍ନ ନେଟୱର୍କରେ ଯୋଡ଼ିବାକୁ କୁହାଯାଇଛି। ଏହାର ଲକ୍ଷ୍ୟ ହେଉଛି ପରିବାରର ଚାଲିବା ଦୂରତା ମଧ୍ୟରେ ବୟସ୍କଙ୍କ ପାଇଁ ଆବଶ୍ୟକ ସେବା ଉପଲବ୍ଧ କରାଇବା।

ଏହି ସଙ୍କଟ ମଧ୍ୟରେ ଏକ ବଡ଼ ଅର୍ଥନୈତିକ ସୁଯୋଗ ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ଭାରତର GDPର ୨ ପ୍ରତିଶତ ଯତ୍ନ ଅର୍ଥନୀତିରେ ବିନିଯୋଗ କରାଗଲେ ପ୍ରାୟ ୧.୧ କୋଟି ନିଯୁକ୍ତି ସୃଷ୍ଟି ହୋଇପାରେ। ଏଥିରୁ ବିଶେଷ ଭାବେ ଗ୍ରାମୀଣ ମହିଳାମାନେ ଲାଭ ପାଇପାରନ୍ତି। ଅର୍ଥାତ୍‌, ଭାରତ ପାଇଁ ଚ୍ୟାଲେଞ୍ଜ କେବଳ ବୟସ୍କଙ୍କ ସଂଖ୍ୟା ବଢ଼ିବା ନୁହେଁ। ଆଗାମୀ ଦିନରେ ଲକ୍ଷ ଲକ୍ଷ ପରିବାର କିପରି ବୟସ୍କଙ୍କ ଯତ୍ନ ନେବେ, ସେଥିପାଇଁ ଏବେଠାରୁ ଏକ ମଜଭୁତ ସାମୁଦାୟିକ ବ୍ୟବସ୍ଥା ତିଆରି କରିବା ହିଁ ସବୁଠୁ ବଡ଼ ଆବଶ୍ୟକତା।

Leave A Reply

Your email address will not be published.