Latest Odisha News

BREAKING NEWS

ଚାଷୀଙ୍କ ପାଇଁ ଖୁସି ଖବର: ଧାନ ପଞ୍ଜୀକରଣ ପାଇଁ ଏବେ ବାଧ୍ୟତାମୂଳକ ନୁହେଁ ‘ଆଗ୍ରିଷ୍ଟାକ୍’ ଆଇଡି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କିଛି ସ୍ଥାନରେ ଦ୍ୱନ୍ଦ୍ୱ ଉପୁଜିଥିଲା। ତେବେ ଧାନ କିଣା ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି। ବିଶେଷ କରି ‘ଆଗ୍ରିଷ୍ଟାକ୍’ ଆଇଡିକୁ ନେଇ ଚାଷୀମାନଙ୍କ ମନରେ ଥିବା ଭୟ ଓ ଆଶଙ୍କାକୁ ସେ ଦୂର କରିଛନ୍ତି।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ, ଧାନ ବିକ୍ରି ନିମନ୍ତେ ସୋସାଇଟିରେ ନାମ ପଞ୍ଜୀକରଣ କରିବାକୁ କୃଷି ବିଭାଗ ପକ୍ଷରୁ ଦିଆଯାଉଥିବା ‘ଆଗ୍ରିଷ୍ଟାକ୍’ ଆଇଡି ବର୍ତ୍ତମାନ ପାଇଁ ବାଧ୍ୟତାମୂଳକ ନୁହେଁ। ଯେଉଁ ଚାଷୀମାନଙ୍କ ପାଖରେ ଏହି ଆଇଡି ନାହିଁ, ସେମାନେ ମଧ୍ୟ ବିନା ବାଧାରେ ସହଜରେ ନିଜର ପଞ୍ଜୀକରଣ କରିପାରିବେ। ତେବେ ମଣ୍ଡିରେ ଧାନ ଦେବା ପାଇଁ ଟୋକନ୍ ଗ୍ରହଣ କରିବା ପୂର୍ବରୁ ଏହି ଆଇଡିର ଆବଶ୍ୟକତା ରହିବ। ଯେଉଁମାନଙ୍କର ଆଗ୍ରିଷ୍ଟାକ୍ ଆଇଡି ନାହିଁ, ସେମାନେ ପଞ୍ଜୀକରଣ ସମୟରେ ନିଜ ଜମିର ପଟ୍ଟା ବା ରେକର୍ଡ ଅଫ୍ ରାଇଟ୍ସ ଦେଇ ଅଫିସରେ ଆବେଦନ କରିପାରିବେ ଏବଂ ମାତ୍ର ଦୁଇ ଦିନ ମଧ୍ୟରେ ସେମାନଙ୍କୁ ଆଇଡି ପ୍ରଦାନ କରାଯିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫,୦୯୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିସାରିଥିବା ବେଳେ, ସେମାନଙ୍କ ମଧ୍ୟରୁ ୩,୧୦୮ ଜଣ ନିଜର ଆଗ୍ରିଷ୍ଟାକ୍ ଆଇଡି ଦାଖଲ କରିଛନ୍ତି। କେବଳ ପ୍ରକୃତ ଜମି ମାଲିକ ନୁହନ୍ତି, ବରଂ ଭାଗ ଚାଷୀମାନେ ମଧ୍ୟ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ସରକାରୀ ଦରରେ ଧାନ ବିକ୍ରି କରିପାରିବେ। ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ହିତ ପାଇଁ ଛିଡ଼ା ହୋଇଛନ୍ତି ଏବଂ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଖରିଫ୍ ଋତୁରେ ରାଜ୍ୟ ସରକାର ମୋଟ ୭୮ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ରବି ଋତୁରେ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିଲେ। ଚଳିତ ବର୍ଷ ମଧ୍ୟ ଏହି ପ୍ରକ୍ରିୟାକୁ କିପରି ଅଧିକ ସ୍ୱଚ୍ଛ ଓ ବ୍ୟବସ୍ଥିତ କରାଯାଇପାରିବ, ସେନେଇ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.