କୋଲକାତା: ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ତଥା ବେଙ୍ଗଲ୍ର ୱିକେଟକିପର-ବ୍ୟାଟସମ୍ୟାନ ଅଭିଷେକ ପୋରେଲଙ୍କୁ ଦୁଷ୍କର୍ମ ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହୁଗୁଳି ଜିଲ୍ଲାର ମୋଗରା ପୋଲିସ ସୋମବାର ରାତିରେ ତାଙ୍କୁ ଗିରଫ କରିଛି । କର୍ଣ୍ଣାଟକର ଜଣେ ମେଡିକାଲ ଛାତ୍ରୀ ଅଭିଷେକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଗତ ଜୁନ୍ ୨୩ ତାରିଖରେ ମୋଗରା ଥାନାରେ ଦାଖଲ ହୋଇଥିବା ଏଫ୍ଆଇଆର ଅନୁଯାୟୀ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ସେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ ।
ଅଭିଯୋଗକାରିଣୀ ପୋଲିସ ନିଷ୍କ୍ରିୟତାକୁ ନେଇ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜୁଲାଇ ୧୪ ତାରିଖରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କର ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ, ଯେପରି କୌଣସି ଆପତ୍ତିଜନକ ତଥ୍ୟ ସୋସିଆଲ ମିଡିଆରେ ପ୍ରସାରିତ ନ ହୁଏ । ପୋଲିସ ଅଭିଷେକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗିରଫ ପରେ ତାଙ୍କୁ ଚିନସୁରା ଅଦାଲତରେ ହାଜର କରାଯାଇ ପୋଲିସ ରିମାଣ୍ଡରେ ନିଆଯାଇଛି ।
