ପୁରୀ: ପୁରୀ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସସ୍ଥିତ ଖୋ ଖୋ ଏକାଡେମୀଠାରେ ଅଗଷ୍ଟ ୧ ରୁ ୪ ତାରିଖ ପର୍ୟ୍ୟନ୍ତ ଆୟୋଜିତ ୧୪ତମ ଓଡ଼ିଶା ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍-୨୦୨୬ରେ ‘ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର’ ର ଆଥଲେଟମାନେ ଅସାଧାରଣ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଜିଲ୍ଲା ଓ କିସ୍ ବିଶ୍ୱବିଦ୍ୟାଳୟ ତରଫରୁ ମୋଟ ୨୧ ଜଣ (୧୧ ବାଳିକା, ୧୦ ବାଳକ) ଖେଳାଳି ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ବାଳିକା ବିଭାଗରେ କିସ୍ ବିଶ୍ୱବିଦ୍ୟାଳୟ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଥିବା ବେଳେ ଏହି ବିଜୟରେ ୫ ଜଣ ଖେଳାଳି ଲିସାରାଣୀ ରାଇତା, ଆଶିକା କୁଜୁର, ରକ୍ତିମା ଭଣ୍ଡା, ସୁଭଶ୍ରୀ ମଲ୍ଲିକ ଓ ଚିନ୍ମୟୀ ପ୍ରଧାନ ପ୍ରମୁଖ ଯୋଗଦାନ ଦେଇଥିଲେ । ଜଗତସିଂହପୁର ରନର୍ସ ଅପ, ପୁରୀ ଦ୍ୱିତୀୟ ରନର୍ସଅପ ହୋଇଛନ୍ତି । ଲିସାରାଣୀ ରାଇତା ଶ୍ରେଷ୍ଠ ଆଟାକର ଏବଂ ସୋମାଲି ପ୍ରଧାନଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି ।
ବାଳକ ବିଭାଗରେର ଆଥଲେଟ୍ ଆଦିତ୍ୟ ଦାସ, ଶୁଭମ ବିଶ୍ୱାଳ ଓ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ଉଲ୍ଲେଖନୀୟ ଅବଦାନ ବଳରେ ସ୍ପୋର୍ଟସ୍ ହଷ୍ଟେଲ ପୁରୀ ଚାମ୍ପିଅନ୍ ଟ୍ରଫି ହାସଲ କରିଛି । କିସ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ରନର୍ସ-ଅପ, ଗଞ୍ଜାମ ଦଳ ତୃତୀୟ ସ୍ଥାନ ହାସଲ କରିଛି । ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାରରେ ସମ୍ମାନିତ କରାଯାଇଛି । ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇ ଏଏମ୍/ଏନ୍ଏସ୍ ଇଣ୍ଡିଆର ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି, ଆମ ଆଥଲେଟମାନଙ୍କ ନିରନ୍ତର ସଫଳତା ସେମାନଙ୍କ କଠିନ ପରିଶ୍ରମ ଓ ଶୃଙ୍ଖଳାର ପ୍ରତୀକ । ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଓ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେଇ ଭାରତ ପାଇଁ ଭବିଷ୍ୟତର ଚାମ୍ପିଅନ୍ ଗଢ଼ିବାକୁ ଆମେ ପ୍ରତିବଦ୍ଧ। ସେହିପରି ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ ଶର୍ମା କହିଛନ୍ତି ଯେ, ଏହି ପ୍ରତିଯୋଗିତା ଆଥଲେଟମାନଙ୍କୁ ଉଚ୍ଚସାଧାରଣ ପ୍ରତିସ୍ପର୍ଦ୍ଧାମୂଳକ ପରିବେଶରେ ନିଜ ଦକ୍ଷତା ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ଦେଇଛି ।
