Latest Odisha News

BREAKING NEWS

Shah-Rahul Face-Off: ‘ଚର୍ଚ୍ଚା ଚାହୁଁଛ କି ହଙ୍ଗାମା?’, କହିବାକୁ ପ୍ରସ୍ତୁତ ଅଛନ୍ତି ଅମିତ୍ ଶାହ, ହେଲେ ଶୁଣିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ…

ନୂଆଦିଲ୍ଲୀ: ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ ଆଜି ସରକାର ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ ଚର୍ଚ୍ଚା ପାଇଁ ଖୋଲା ପ୍ରସ୍ତାବ ଦେଇଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।

ଅମିତ ଶାହ କହିଛନ୍ତି, ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ। ବିରୋଧୀ ଚର୍ଚ୍ଚା ଚାହୁଁଛନ୍ତି ନା ହଙ୍ଗାମା, ଏବେ ତାହା ସେମାନେ ନିଷ୍ପତ୍ତି ନିଅନ୍ତୁ। ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ଅପରାହ୍ନ ୩ଟା ମଧ୍ୟରେ ବିରୋଧୀ ଚର୍ଚ୍ଚା ପାଇଁ ପ୍ରସ୍ତୁତ ହେଲେ ସରକାର ସମସ୍ତ ପ୍ରସଙ୍ଗର ଉତ୍ତର ଦେବ ବୋଲି ସେ କହିଛନ୍ତି। ଶାହ କହିଛନ୍ତି, ସଂସଦ ଅଧିବେଶନ ଆରମ୍ଭ ହେବାଠାରୁ ସେ ନିୟମିତ ସଂସଦ ଆସୁଛନ୍ତି ଏବଂ ନିଜ ଚାମ୍ବରରେ ରହୁଛନ୍ତି। କିନ୍ତୁ ବିରୋଧୀ ସଦନ ଚଳାଇବାକୁ ଦେଉନଥିବାରୁ ଚର୍ଚ୍ଚା ହୋଇପାରୁନାହିଁ। ସରକାରଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ ଏବଂ ଯେକୌଣସି ପ୍ରସଙ୍ଗରେ ଚର୍ଚ୍ଚା ପାଇଁ NDA ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏଥିପାଇଁ ବିରୋଧୀ ଦଳ ଆଜି ଅପରାହ୍ନ ୨ଟା ସୁଦ୍ଧା ବାଚସ୍ପତିଙ୍କୁ ଚିଠି ଦେଇ ଚର୍ଚ୍ଚା ପାଇଁ ସମ୍ମତି ଜଣାନ୍ତୁ ବୋଲି ଶାହ ଆହ୍ୱାନ ଦେଇଛନ୍ତି। ସେ ନିଜେ ସଦନରେ ବସି ବିରୋଧୀଙ୍କ କଥା ଶୁଣିବେ ଏବଂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଶାହଙ୍କ ଏହି ବୟାନକୁ ନେଇ କହିଛନ୍ତି, ବିରୋଧୀଙ୍କୁ ଅମିତ ଶାହଙ୍କ ‘ଲେକ୍ଚର’ରେ କୌଣସି ଆଗ୍ରହ ନାହିଁ। ଯୁବପିଢ଼ିଙ୍କ ପ୍ରସଙ୍ଗ ଉଠାଇ ସେ ପ୍ରଶ୍ନ କରିଛନ୍ତି, ଛାତ୍ରଙ୍କ ଉପରେ ପେଲେଟ୍ କିଏ ଚଳାଇଲା? ଛାତ୍ରମାନଙ୍କୁ କଣ୍ଟା ଲାଗିଥିବା ଲାଠିରେ ମାଡ଼ ମାରିବାକୁ ନିର୍ଦ୍ଦେଶ କିଏ ଦେଇଥିଲା? ଯଦି ଏହାର ନିର୍ଦ୍ଦେଶ ଗୃହମନ୍ତ୍ରୀ ଦେଇଥାନ୍ତି, ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ରାହୁଲ କହିଛନ୍ତି।

ସଂସଦରେ ଛାତ୍ର ଆନ୍ଦୋଳନକୁ ନେଇ ଚର୍ଚ୍ଚା ଦାବିକୁ କେନ୍ଦ୍ର କରି ସରକାର-ବିରୋଧୀ ମଧ୍ୟରେ ଏହି ଟଣାଓଟରା ଜାରି ରହିଥିବା ବେଳେ ଅଚଳାବସ୍ଥା କେବେ ହଟିବ, ତାହା ଉପରେ ଏବେ ନଜର ରହିଛି।

Leave A Reply

Your email address will not be published.