Latest Odisha News

BREAKING NEWS

ଟେବୁଲ ଟେନିସ ମହାସଂଘର ମାନ୍ୟତା ରଦ୍ଦ କଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ଭାରତୀୟ ଟେବୁଲ ଟେନିସ୍ ମହାସଂଘର ମାନ୍ୟତା ରଦ୍ଦ କରିଦେଇଛନ୍ତି । ଏହାସହ ଖେଳର ପରିଚାଳନା ପାଇଁ ଏକ ଆଡହକ୍ କମିଟି ଗଠନ କରିବାକୁ ଭାରତୀୟ ଅଲିମ୍ପିକ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି । ସମୟସୀମା ମଧ୍ୟରେ ନିର୍ବାଚନ କରିବାରେ ବିଫଳ ହୋଇଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କ୍ରୀଡ଼ା ମନ୍ତ୍ରଣାଳୟ ନିଜ ଆଦେଶରେ କହିଛି ଯେ,  ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ ସହ ଆଲୋଚନା କରି  ସମସ୍ତ ସମସ୍ୟା ଓ ତ୍ରୁଟି ଦୂର କରିବ ।

ବର୍ତ୍ତମାନର ସଭାପତି ଭାବେ ମେଘନା ଅହଲାୱାଟ ଦାୟିତ୍ୱ ତୁଲାଉଛନ୍ତି । ସେ ଏହି ସଂଘର ପ୍ରଥମ ମହିଳା ସଭାପତି ଏବଂ ହରିୟାଣାର ବିଧାୟକ ଦୁଷ୍ୟନ୍ତ ଚୌତାଲାଙ୍କ ପତ୍ନୀ । ମେଘନା ଡିସେମ୍ବର ୨୦୨୨ରେ ଏହି ପଦ ସମ୍ଭାଳିଥିଲେ । ଜାନୁଆରୀ ମାସରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସାଧାରଣ ସମ୍ପାଦକ କମଲେଶ ମେହେତାଙ୍କୁ ନିଲମ୍ବିତ କରାଯାଇଥିଲା । ପରେ ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ଏହି ନିଲମ୍ବନ ରଦ୍ଦ ହୋଇଥିଲା । ତାରକା ଖେଳାଳି ମନିକା ବାତ୍ରାଙ୍କୁ ଏସୀୟ କ୍ରୀଡ଼ା ଦଳରୁ ବାଦ୍ ଦିଆଯିବା ପରେ ବିବାଦ ଆହୁରି ବଢ଼ିଥିଲା । ମନିକା ଏହାର କଡ଼ା ସମାଲୋଚନା କରି କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ । ମନ୍ତ୍ରଣାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ହେଁ ଉତ୍ତର ସନ୍ତୋଷଜନକ ନଥିବାରୁ ଶେଷରେ ଏହି କଠୋର ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.