Latest Odisha News

BREAKING NEWS

ଖୁବ୍‌ଶୀଘ୍ର ଆସିବ ‘ଜନ୍ତର-ମନ୍ତର ସିଜନ୍-୨’: ବିଜେପି ଉପରେ ବର୍ଷିଲେ ସିଜେପି ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରୁ ପୁଣି ଏକ ବଡ଼ ଆନ୍ଦୋଳନର ସୂତ୍ରପାତ ହେବାକୁ ଯାଉଛି। ନୂଆ କରି ଚର୍ଚ୍ଚାକୁ ଆସିଥିବା ‘କକ୍ରୋଚ ଜନତା ପାର୍ଟି (CJP)’ ର ପ୍ରତିଷ୍ଠାତା ତଥା ଯୁବ ନେତା ଅଭିଜିତ ଦିପକେ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ପ୍ରସିଦ୍ଧ ଆନ୍ଦୋଳନ ସ୍ଥଳ ‘ଜନ୍ତର-ମନ୍ତର’ରେ ଖୁବ୍ ଶୀଘ୍ର ତାଙ୍କ ଅଭିଯାନର ‘ସିଜନ୍-୨’ ଆରମ୍ଭ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ହଜାର ହଜାର ସମର୍ଥକ ଏହି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ କେବେ ଆରମ୍ଭ ହେବ ବୋଲି ଲଗାତାର ପ୍ରଶ୍ନ କରୁଥିଲେ। ଯାହାର ଉତ୍ତର ରଖି ଦିପକେ କହିଛନ୍ତି ଯେ, ସମର୍ଥକଙ୍କ ଅପେକ୍ଷାର ଅନ୍ତ ଘଟିଛି।

ଯଦିଓ ଏଥର କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ହେବ, ସେ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ; ତଥାପି ଏହା ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କାରଣ ନିକଟରେ ସେ ଗ୍ରାମାଞ୍ଚଳର ସରକାରୀ ସ୍କୁଲଗୁଡ଼ିକର ଶୋଚନୀୟ ଅବସ୍ଥା ସୁଧାରିବା ନେଇ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବାର ସଂକେତ ଦେଇଥିଲେ।

ଏହି ଘୋଷଣା ସହିତ ଶ୍ରୀ ଦିପକେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ସିଜେପିର ସ୍ୱେଚ୍ଛାସେବୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିଲା। କିନ୍ତୁ ସେମାନଙ୍କୁ କୌଣସି ହଲ୍ ଭଡ଼ାରେ ଦିଆଯାଇନଥିଲା। ‘ଉପରୁ ଚାପ ଅଛି’ କହି ଅନେକ ହଲ୍ ମାଲିକ ମନା କରିଦେଇଥିଲେ। ବହୁ ପ୍ରୟାସ ପରେ ଏକ ହଲ୍ ବୁକିଂ କରାଯାଇ ଅଗ୍ରୀମ ଦେୟ ମଧ୍ୟ ଦିଆଯାଇଥିଲା। ମାତ୍ର ବୈଠକ ଦିନ ସକାଳୁ ହଲ୍ ମାଲିକଙ୍କୁ ଧମକ ଦିଆଯାଇଥିଲା ଯେ, “ଯଦି ସିଜେପିକୁ ମିଟିଂ କରିବାକୁ ଦିଅ, ତେବେ ତୁମକୁ ଓଲଟା ଟାଙ୍ଗି ଦିଆଯିବ।”

ଏଭଳି ଆଚରଣକୁ ତୀବ୍ର ନିନ୍ଦା କରି ଦିପକେ କହିଛନ୍ତି ଯେ, ବିଜେପି ଏବେ ଯୁବକମାନଙ୍କ ସ୍ୱରକୁ ଦେଖି ଭୟଭୀତ ହୋଇପଡ଼ିଛି। ଡରାଇ ଧମକାଇ ଆନ୍ଦୋଳନକୁ ରୋକି ଦିଆଯିବ ବୋଲି ଶାସକ ଦଳର ଧାରଣା ସମ୍ପୂର୍ଣ୍ଣ ଭୁଲ୍। ଏହା ସହିତ ସେ ଦିଲ୍ଲୀ ପୋଲିସକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ପୋଲିସ ପ୍ରକୃତରେ ସାଧାରଣ ଜନତାଙ୍କ ପାଇଁ କାମ କରିବ କି ନାହିଁ? ଆଗାମୀ ଦିନରେ ଏହି ଘଟଣା ଜାତୀୟ ରାଜନୀତିରେ ଆହୁରି ଉଷ୍ମତା ସୃଷ୍ଟି କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.