ଭୁବନେଶ୍ୱର: ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ପବିତ୍ର ବନକଲାଗି ନୀତି ଅନୁଷ୍ଠିତ ହେବ। ଯାହା ଫଳରେ ପ୍ରାୟ ଚାରି ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାର୍ବଜନୀନ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ସୂଚନା ଦେଇଛି।
ଗୁରୁବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥିରେ ଏହି ପୂଜା ପାଳନ କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବନକଲାଗି ନୀତି ହେଉଛି ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ପ୍ରାକୃତିକ ଔଷଧୀୟ ଲେପ ଓ ରଙ୍ଗ ଲଗାଇବାର ଏକ ପ୍ରାଚୀନ ପରମ୍ପରା । ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ ।
ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରୁହେ ।
