ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହାରି ମଧ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ବନ୍ଦ କରାଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ସୁରକ୍ଷାକୁ ପ୍ରାଥମିକତା ଦେଇ ବନ୍ଦ ଘୋଷଣା କରିଛନ୍ତି। ଅଗଷ୍ଟ ୧୩ ତାରିଖରେ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି। ଜିଲ୍ଲାରେ ୩୦-୪୦ କିଲୋମିଟର ବେଗରେ ଝଡ଼ତୋଫାନ, ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି।
ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀମାନେ ଘରେ ରହିବେ। ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରି ମାନେ ସମୟସୂଚୀ ଅନୁଯାୟୀ ସେମାନଙ୍କ ନିଜ ନିଜ ସ୍କୁଲରେ ରିପୋର୍ଟ କରିବାକୁ ପଡିବ। ସେହିପରି ଅଭିଭାବକମାନଙ୍କୁ ପିଲାମାନଙ୍କୁ ଘର ଭିତରେ ରଖିବା ଏବଂ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛି ପ୍ରଶାସନ। କାରଣ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
