ଭଦ୍ରକ: ଜିଲ୍ଲାରେ ଗତ କିଛି ଦିନ ହେବ ଅଭିନଵ ଉପାୟରେ ଲୋକଙ୍କ ଘରେ ପଶି ଡକାୟତି କରି ଫେରାର ହୋଇଯାଉଥିଲେ। ଏହି ଘଟଣା ଜିଲ୍ଲାରେ ଆତଙ୍କ ଖେଳିଯାଇଥିଲା। ତେବେ ଭଦ୍ରକ ପୋଲିସ ଡକାୟତି ଗ୍ୟାଙ୍ଗଙ୍କୁ ଧରିବାରେ ସଫଳ ହୋଇଛି। ଝାଡଖଣ୍ଡର ଧାନବାଦ ଅଞ୍ଚଳରୁ ୬ ଜଣ ଆନ୍ତରାଜ୍ୟ ଡକାୟତ ଦଳ ଗିରଫ ହୋଇଛନ୍ତି। ଭଦ୍ରକ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ ଧାନବାଦ ଯାଇ ଏହି ଡକାୟତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ଏହି ଡକାୟତ ମାନେ ଭଦ୍ରକ ଟାଉନ ଥାନା ଗ୍ରାମାଞ୍ଚଳ ଥାନା ଧାମନଗର ଆଦି ଅଞ୍ଚଳରେ ଅଭିନଵ ଉପାୟରେ ଲୋକଙ୍କ ଘରେ ପଶି ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଗୋଟିଏ କୋଠରୀରେ ଆବଦ୍ଧ କରି ସୁନା, ରୁପା ଅଳଙ୍କାର ସହିତ ଟଙ୍କା ପଇସା ଲୁଟି ନେଇ ଫେରାର ହୋଇଯାଉଥିଲେ। ସେମାନଙ୍କ ସହିତ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଆଦିତ୍ୟ ରଣା ନାମକ ଡକାୟତ ଜଗଦଳପୁର ଗ୍ରାମରେ ଘରେ ପଶି ଲୁଟ୍ କରୁଥିବା ବେଳେ ଗ୍ରାମବାସୀ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ଏହାପରେ ପୋଲିସ ତାଠାରୁ ସମସ୍ତ ତଥ୍ୟ ନେଇ ଏହି ଡକାୟତ ଗ୍ୟାଙ୍ଗ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା।
ଚଢ଼ାଉ ବେଳେ ସେମାନଙ୍କ ନିକଟରୁ ୨ ଲକ୍ଷ ୧୭ ହଜାର ଟଙ୍କା, ୭୩ ଗ୍ରାମ ସୁନା, ୬ ଶହ ଗ୍ରାମ ରୁପା, ଗୋଟିଏ ପିସ୍ତଲ ଓ ଗୁଳି, ୭ଟି ମୋବାଇଲ, ଗୋଟିଏ କାର, ଦୁଇଟି ବାଇକ ଜବତ କରିଛି ପୋଲିସ। ଏହି ଡକାୟତ ମାନେ ଭଦ୍ରକ, ସୋର, କଟକ ବାରଙ୍ଗ ଥାନା ଆଦି ବିଭିନ୍ନ ଥାନା ଅଞ୍ଚଳରେ ଡକାୟତିରେ ସମ୍ପୃକ୍ତ ଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି। ଏହା ସହିତ ଏଥିରେ ଅନ୍ୟ ଜଣେ ମୁଖ୍ୟ ଆସାମୀ ସମ୍ପୃକ୍ତ ଥିବାରୁ ପୋଲିସ ତାଙ୍କୁ ଖୁବଶୀଘ୍ର ଗିରଫ କରିବ ବୋଲି ଭଦ୍ରକ ଏସପି କହିଛନ୍ତି।
